କନକ ବ୍ୟୁରୋ : ଗୋଟିଏ ବର୍ଷ ତଳେ ପାକିସ୍ତାନର ସୀମା ହାଇଦର ଓ ଭାରତର ସଚ୍ଚିନ ମିଣାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ପୁଣି ସମାନ କାହାଣୀ ଦୋହରାଇଛନ୍ତି ରାଜସ୍ଥାନର ରହମାନ ଓ ପାକିସ୍ତାନର ମେହାବିଶ । ସଚିନ ଓ ସୀମାଙ୍କ ପ୍ରେମ କାହାଣୀ ସହ ଏମାନଙ୍କ ପ୍ରେମ କାହାଣୀ ମଧ୍ୟ ସମାନ । ହେଲେ କିଛିଟା ପରିସ୍ଥିତି ଅଲଗା ହେଲେ ବି ଲକ୍ଷ୍ୟ ଗୋଟଏ, କେବଳ ନିଜ ପ୍ରେମକୁ ପାଇବା ।
ପାକିସ୍ତାନର ଲାହୋରରେ ରହୁଥିବା ୨୫ ବର୍ଷିୟା ମେହବିଶ ଚୁରୁ ଜିଲ୍ଲାର ରେହମାନଙ୍କୁ ବିଧିବଧ ଭାବେ ବିବାହ କରିଛନ୍ତି । ଉଭୟଙ୍କର ପରିଚୟ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା । ସୀମା ହାଇଦର ତାଙ୍କ ୪ ପିଲାଙ୍କୁ ଧରି ନେପାଳ ରାସ୍ତା ଦେଇ ଭାରତ ଆସିଥିଲେ । ହେଲେ ମେହବିଶଙ୍କ କ୍ଷେତ୍ରରେ ତାହା ଅଲଗା । ମେହବିଶ ନିଜର ଦୁଇ ପିଲାଙ୍କୁ ପାକିସ୍ତାନରେ ଛାଡି ଭାରତ ପଳାଇଆସିଛନ୍ତି । ସୀମା ନେପାଳ ରାସ୍ତା ଦେଇ ଭାରତ ଆସିଥିବା ବେଳେ ମେହବିଶ ୱାଘା ସୀମା ପାର କରି ଭାରତ ଆସିଛନ୍ତି ।
ସୀମା ହାଇଦର ଓ ସଚିନ ଭିନ୍ନ ଭିନ୍ନ ଧର୍ମର ହୋଇଥିବା ବେଳେ ରେହମାନ ଓ ମେହବଶ ଗୋଟିଏ ଧର୍ମର । ଉଭୟ ସୀମା-ସଚିନ ଓ ମେହବିଶ ଏବଂ ରେହମାନଙ୍କ ପ୍ରେମ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା । ମେହବିଶ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇସାରିଥିବା ବେଳେ ରେହମାନ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି । ଉଭୟ ରେହମାନ ଓ ମେହବିଶଙ୍କର ଦୁଇଟି ଲେଖାଏଁ ପିଲା ରହିଛନ୍ତି । ମେହବିଶ ବର୍ଷ ବର୍ଷ ଧରି ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ ।