କନକ ବ୍ୟୁରୋ : ରାଜସ୍ଥାନ ଚୁରୁ ଜିଲ୍ଲା ସୁଜାନଗଡ ଥାନା ଅଞ୍ଚଳରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ ପ୍ରଶାସନ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି କାର ଭିତରୁ ଶବଗୁଡିକୁ ବାହାରକୁ ବାହାର କରି ସ୍ଥାନୀୟ ହସ୍ପିଟାଲର ଶବଗୃହରେ ରଖିଛି । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ପୂରା ମାମଲାର ଯାଂଚ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମୀମାନେ ନାଗୋରରୁ ଝୁନଝୁନକୁ ନିର୍ବାଚନ ଡ୍ୟୁଟିରେ ଯାଉଥିଲେ । ଏହି କ୍ରମରେ ମଝି ରାସ୍ତାରେ ଦୁର୍ଘଟଣା ଘଟିଛି ।

Advertisment

ପୋଲିସର ସୂଚନା ମୁତାବକ ଏହି ଦୁର୍ଘଟଣା ରବିବାର ସକାଳେ ଜାତୀୟ ରାଜପଥ ୫୮ ସୁଜାନଗଡ ସଦର ଥାନା ଅଞ୍ଚଳରେ ଘଟିଛି । ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ପୋଲିସ ଗାଡିକୁ ଧକ୍କା ଦେଇଥିଲା । କାରରେ ଥିବା ପୋଲିସ କର୍ମୀଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।