ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

99

କନକ ବ୍ୟୁରୋ : ଏ କାହାଣୀ ହେଉଛି ସୁନ୍ଦରଗଡ ହେମଗିରି ବ୍ଲକ ତୁମ୍ବିଖୋଲ ଗାଁର । ଚର୍ଚ୍ଚ ସମ୍ମୁଖରେ ଘଂଟ ବାଜୁଛି, ଘଂଟ ବଜାଇ ଗାଁ ଲୋକଙ୍କୁ ଡକା ଯାଉଛି । ଘଂଟ ଶବ୍ଦ ଶୁଣି ଘରୁ ବାହାରି ଆସନ୍ତି ଗାଁ ଲୋକ । ଚର୍ଚ୍ଚ ସମ୍ମୁଖରେ ରୁଣ୍ଡ ହୁଅନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ବର୍ଷ ବର୍ଷ ଧରି ତୁମ୍ବିଖୋଲ ଗାଁରେ ଘଂଟ ହିଁ ଯୋଗାଯୋଗର ମାଧ୍ୟମ ପାଲଟିଛି ।

ଫାଇଭ-ଜି ଯୁଗରେ ଘଂଟ କାହିଁକି ଯୋଗାଯୋଗର ମାଧ୍ୟମ ସାଜିଛି । ଏହା ପଛର କାରଣ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୁମରା ପଂଚାୟତର ତେୁମ୍ବିଖୋଲ, ତିଉରିଆ, ମାକଡିଖୋଲ ଭଳି ଗାଁରେ ଆଦୌରୁ ନେଟୱାର୍କ ନାହିଁ । ତେଣୁ ଲୋକମାନେ ଆଜି ବି ମୋବାଇଲ ବ୍ୟବହାର କରିନ୍ତିନାହିଁ । ଗାଁ ଠାରୁ ଗାଁର ଦୂରତା ପ୍ରାୟ ୧୦ରୁ ୧୨ କିଲୋମିଟର ହୋଇଥିବା ବେଳେ ଗାଁରେ ଘର ଘର ମଧ୍ୟ ଦୂରରେ ରହିଛି । ତେଣୁ ଗ୍ରାମବାସୀ ନିଜ ନିଜ ଭିତରେ ଯୋଗାଯୋଗ କରିବା ପାଇଁ ଚର୍ଚ୍ଚ ସମ୍ମୁଖରେ ଘଂଟ ବାଡେଇଥାନ୍ତି ।

କାହାର କିଛି ଜରୁରୀ କାମ ପଡିଲେ, କି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ଗାଁ ଲୋକ ଏକାଠି ହେବାର ଅଛି । ତେବେ ଜଣେ ବ୍ୟକ୍ତି ଚର୍ଚ୍ଚ ସମ୍ମୁଖକୁ ଆସି ଘଂଟ ବାଡାଇଥାନ୍ତି । ଆଉ ଘଂଟ ଶୁଣି ଲୋକମାନେ ପ୍ରାର୍ଥନା ଗୃହ ସମ୍ମୁଖରେ ଏକାଠି ହୋଇଥାନ୍ତି । ଗାଁରେ ନିୟମ ରହିଛି, ଯିଏ ଯେତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥାନ୍ତୁ ପଛେ ଘଂଟ ବାଜିଲା ମାତ୍ରେ ହିଁ ଚର୍ଚ୍ଚ ପାଖକୁ ସମସ୍ତେ ଆସିବାକୁ ବାଧ୍ୟ   ।