ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ରାଜ୍ୟ ବୋର୍ଡ ଉପରେ ନଜର : ବାତିଲ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା

264

କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ହେବ ନା ନାହିଁ ସେ ନେଇ ଏଥିରେ ଆଲୋଚନା କରାଯିବ । ପୂର୍ବରୁ ସିବିଏସଇର ନିଷ୍ପତି ପରେ ଯୁକ୍ତଦୁଇ ପରୀକ୍ଷା ନେଇ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଏଥିରେ ବିଭାଗୀୟ ସଚିବ ଓ ଉଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକ ପରେ ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା । କରୋନା କାଳରେ ଛାତ୍ରଙ୍କ ଉପରେ ଚାପ ପକାଇବା ଠିକ ହେବ ନାହିଁ । ଠିକ ଭାବରେ ବ୍ୟବସ୍ଥା ନିରୂପଣ କରି ପରୀକ୍ଷା ଫଳ ପ୍ରକାଶ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ନେଇ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିରୋଧୀ ବାରମ୍ବାର ଦାବି କରିଥିଲେ ।