ଏଥର ଆଗୁଆ ହେବ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା: ଜାନୁଆରି ୧୫ରୁ ୨୫ ପ୍ରାକ୍ଟିକାଲ, ମାର୍ଚ୍ଚ ୨ରୁ ଆରମ୍ଭ ହୋଇପାରେ ଥିଓରି

Advertisment
ଏଥର ଆଗୁଆ ହେବ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା: ଜାନୁଆରି ୧୫ରୁ ୨୫ ପ୍ରାକ୍ଟିକାଲ, ମାର୍ଚ୍ଚ ୨ରୁ ଆରମ୍ଭ ହୋଇପାରେ ଥିଓରି

କନକ ବ୍ୟୁରୋ: ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ନେଇ ଗତଥର ସମାଲୋଚନାର ଶିକାର ହେବା ପରେ ଏଥର ଆଗୁଆ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୦ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆଗୁଆ କରାଯିବ। ପ୍ରତିବର୍ଷ ଜାନୁଆରି ୨୦ରୁ ଆରମ୍ଭ ହେଉଥିବା ପ୍ରାକ୍ଟିକାଲ ପରୀକ୍ଷା ଏଥର ଜାନୁଆରି ୧୫ରୁ ଆରମ୍ଭ ହୋଇ ୨୫ରେ ଶେଷ ହେବ। ଥିଓରି ପରୀକ୍ଷା ପୂର୍ବଭଳି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ମାର୍ଚ୍ଚ ୨ରୁ ଥିଓରି ପରୀକ୍ଷା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ପୂର୍ବରୁ ଜୁନ୍ ୧୦ ଭିତରେ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାର ନିୟମ ଥିଲା। ଏଥର ସେଥିରେ ସଂଶୋଧନ କରାଯାଇ ଯେକୌଣସି ପ୍ରକାରେ ମେ’ ସୁଦ୍ଧା ସବୁ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପରୀକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଗୁଆ ଫର୍ମ ପୂରଣ କରାଯିବ। ପ୍ରଥମେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ସେପ୍ଟେମ୍ବର ୧୬ରୁ ୩୦ ମଧ୍ୟରେ ହେବ। ଅକ୍ଟୋବର ୧ରୁ ୧୭ ମଧ୍ୟରେ ଫର୍ମ ପୂରଣର ସମସ୍ତ ତଥ୍ୟ ପରିଷଦ ନିକଟରେ ପହଞ୍ଚିବ। ଅକ୍ଟୋବର ୧୮ରୁ ନଭେମ୍ବର ୨ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ଅକ୍ଟୋବର ୪ରୁ ୧୨ ମଧ୍ୟରେ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସମସ୍ତ ଡକ୍ୟୁମେଣ୍ଟ ପରିଷଦରେ ପହଞ୍ଚିବା ଆବଶ୍ୟକ। ଏଥର ଫର୍ମ ପୂରଣ ପ୍ରକ୍ରିୟା କେବଳ ଅନ୍ଲାଇନ୍ରେ ହେବ। ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ନଭେମ୍ବର ୨୫ରେ ଅନ୍ଲାଇନ୍ରେ ଛଡ଼ାଯିବ। ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ନାମ ତାଲିକା ଜାନୁଆରି ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ମେ’ ୩୦ ସୁଦ୍ଧା ପରୀକ୍ଷା ଫଳ ବାହାରିବ। ଜୁନ୍ ୧୦ ସୁଦ୍ଧା ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ହେବ। ଜୁଲାଇ ୧୫ରୁ ୧୮ ମଧ୍ୟରେ ଇନଷ୍ଟାଣ୍ଟ ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି।

ଏହା ବ୍ୟତୀତ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କ୍ରୀଡ଼ା/ଖେଳ ପ୍ରତିଯୋଗିତା ଡିସେମ୍ବର ମଧ୍ୟରେ ଶେଷ ହେବ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ଇଂରାଜୀ ଓ ଓଡ଼ିଆରେ ରଚନା ଓ କବିତା ପ୍ରତିଯୋଗିତା ନଭେମ୍ବର ପ୍ରଥମ ସପ୍ତାହ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଚେୟାରମ୍ୟାନ୍ କପ୍ ବକ୍ତୃତା ପ୍ରତିଯୋଗିତା ନଭେମ୍ବର ଦ୍ବିତୀୟ ସପ୍ତାହ ଓ ବାର୍ଷିକ ସାଂସ୍କୃତିକ ପ୍ରତିଯୋଗିତା ଡିସେମ୍ବର ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ହୋଇଥିବା ତାରିଖରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe