ଯୁକ୍ତ ୨ ପରୀକ୍ଷା ଫଳରେ ପୁଅଙ୍କୁ ପଛରେ ପକାଇଲେ ଝିଅ : ଗତବର୍ଷଠାରୁ ଏଥର କମିଲା ପାସ୍ ହାର୍; କର୍ତ୍ତୃପକ୍ଷ କହିଲେ ୩ଟି କାରଣ

269

କନକ ବ୍ୟୁରୋ : କମିଲା +୨ ପାସ୍ ହାର, କମିଲେ ମେଧାବୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୦୨୨ ତୁଳନାରେ ଏଥର ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍ହାର ଯଥାକ୍ରମେ ୧୦.୨୨% ଓ ୧୩.୮୪% ହ୍ରାସ ପାଇଛି । ଗତବର୍ଷ ବିଜ୍ଞାନରେ ପାସ୍ହାର ୯୫.୧୫% ଥିବାବେଳେ ଏଥର ୮୪.୯୩% ହୋଇଛି ।

ଅନୁରୂପ ଭାବେ ବାଣିଜ୍ୟରେ ମଧ୍ୟ ପାସ୍ ହାର୍ ୯୪.୯୬%ରୁ ୮୧.୧୨%କୁ ଖସି ଆସିଛି । ମେଧାବୀ ତଥା ୯୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି । ଅର୍ଥାତ୍ ଗତବର୍ଷ ବିଜ୍ଞାନରେ ୨,୨୭୮ ଓ ବାଣିଜ୍ୟରେ ୧୪୯ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଥିଲେ । ମାତ୍ର ଏଥରକ ଯଥାକ୍ରମେ ୩୫୮ ଓ ୧୦୨ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି । ବିଜ୍ଞାନ ବିଭାଗରେ ୨୯୧ଟି କଲେଜର ପାସ୍ହାର ଶତ ପ୍ରତିଶତ ହୋଇଛି ।

ବାଣିଜ୍ୟରେ ୯୪ଟି କଲେଜର ସମସ୍ତେ ପାସ୍ କରିଛନ୍ତି । ଦୁଇଟି ବିଜ୍ଞାନ କଲେଜରେ କେହି ପାସ୍ କରି ନାହାନ୍ତି । ଉଭୟ ବିଭାଗରେ ନୟାଗଡ଼ ଜିଲ୍ଲାର ପାସ୍ ହାର୍ ସର୍ବାଧିକ ରହିଛି । ବୌଦ୍ଧ ଜିଲ୍ଲାର ପାସ୍ ହାର୍ ସର୍ବନିମ୍ନ ୫୫.୫୫% ହୋଇଛି । କୌଣସି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇ ନାହିଁ । ୯୦%ରୁ ଅଧିକ ନମ୍ବର ରଖିଛନ୍ତି ୪୬୦ଜଣ । ୩୮୫ କଲେଜର ଉଭୟ ବିଭାଗରେ ସମସ୍ତେ ପାସ କରିଛନ୍ତି ।