ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଗଠନ ହେଲା କମିଟି । ୧୪ ଜଣିଆ କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

355

କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ସ୍ୱତନ୍ତ୍ର କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ଆଜି ସିଏଚଏସଇ ଦ୍ୱାରା ଗଠନ ହୋଇଛି । ଏହି କମିଟି ବିଭିନ୍ନ ଦିଗକୁ ତର୍ଜମା କରିବା ସହିତ ପିଲାମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ଏବଂ ଯୁକ୍ତ ଦୁଇ ଫଳ କିଭଳି ପ୍ରକାଶ ପାଇବ ସେନେଇ ପରାମର୍ଶ ଦେବ ।

ଏହି କମିଟିରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବ ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସଙ୍କ ସହିତ ସୁବାସ ଚନ୍ଦ୍ର ଦାସ , ସମ୍ବିତ କୁମାର ନାୟକ, ତୁଷାର କାନ୍ତି ତ୍ରିପାଠୀ ପ୍ରମୁଖ ରହିଛନ୍ତି । ଏହି କମିଟି ବିଭିନ୍ନ ଦିଗକୁ ତର୍ଜମା କରି ଆଗାମୀ ୧୦ ଦିନ ଭିତରେ ନିଜର ରିପୋର୍ଟ ଦେବ ବୋଲି କୁହାଯାଇଛି ।

ଏହାପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପରୀକ୍ଷା ଫଳ ପ୍ରକାଶ ନେଇ ବିଶେଷଜ୍ଞ କମିଟି ଗଠନ ହେବ । ଯିଏ କି, ସିବିଏସଇ ପଲିସିକୁ ଅନୁଧ୍ୟାନ କରି ତର୍ଜମା କରିବେ । ଏହାପରେ ପିଲାମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ଏବଂ ଫଳ ପ୍ରକାଶ ପାଇବ ସେନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ହେତୁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୀବନ ଆଗ ଏବଂ ଆଉ ସବୁ ପଛ ବୋଲି କହିଥିଲେ । ତେଣୁ କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଏବେ ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଏହି କମିଟି ଗଠନ କରାଯାଇଛି ।