ପ୍ରକାଶ ପାଇଲା ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ।

139

କନକ ବ୍ୟୁରୋ: ପ୍ରକାଶ ପାଇଲା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । କମିଲା ପାସ ହାର, ପୁଣି ଆଗରେ ଛାତ୍ରୀ । ମାଟ୍ରିକ ଭଳି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳରେ ବି ଛାତ୍ରୀ ଆଗରେ ଅଛନ୍ତି । ଭୁବନେଶ୍ୱର ସିଏଚଏସଇ କାର୍ଯ୍ୟାଳୟ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଫଳାଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ୮୪ ଦଶମିକ ୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ପାସ ହାର ୮୧ ଦଶମିକ ୧୨ ରହିଛି । ଚଳିତ ବର୍ଷ ବିଜ୍ଞାନରେ ୯୨ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭୮ହଜାର ୯୩୮ ପରୀକ୍ଷାର୍ଥୀ ପାସ ହୋଇଛନ୍ତି । ସେହିପରି ବାଣିଜ୍ୟରେ ମୋଟ ୨୪ହଜାର ୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୯ ହଜାର ୫୩୬ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଗତବର୍ଷ ତୁଳନାରେ ବିଜ୍ଞାନରେ ପାସହାର ୧୦ ପ୍ରତିଶତ କମିଥିଲାବେଳେ ବାଣିଜ୍ୟରେ କମିଛି ପ୍ରାୟ ୫ ପ୍ରତିଶତ ।

କାହିଁକି କମିଲା ପାସହାର? କାରଣ କହିଲେ ସିଏଚଏସଇ କର୍ତ୍ତୃପକ୍ଷ । ତେବେ ଗତବର୍ଷ ତୁଳନାରେ ଏଥର ପାସହାର କାହିଁକି କମିଲା ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଆଉ ଏହାର କାରଣ ବି କହିଛନ୍ତି ସିଏଚଏସଇ କର୍ତୃପକ୍ଷ ।

-ପାସ କରିଥିବା ଛାତ୍ରଛାତ୍ରୀ ୨୦୨୦ରେ କୋଭିଡ ଯୋଗୁଁ ଦଶମ ଶ୍ରେଣୀ ପରୀକ୍ଷା ଦେଇନଥିଲେ
-ଗତବର୍ଷ ୭୦% ସିଲାବସ ଆଧାରରେ ପରୀକ୍ଷା ହୋଇଥିଲା, ଏଥର ଶହେ ପ୍ରତିଶତ ସିଲାବସରେ ପରୀକ୍ଷା ହୋଇଛି
-ଗତବର୍ଷ ସଂକ୍ଷିପ୍ତ ପ୍ରଶ୍ନ ୫୦ ମାର୍କ ଥିବାବେଳେ ଚଳିତବର୍ଷ ୩୦ ମାର୍କ ସଂକ୍ଷିପ୍ତମୂଳକ ପ୍ରଶ୍ନ ରହିଥିଲା

ଏଣିକି ଯୁକ୍ତଦୁଇ ପାସ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ସାର୍ଟିଫିକେଟ ଡିଜି ଲକରରୁ ପାଇପାରିବେ । ଏଭଳି ନୂଆ ବ୍ୟବସ୍ଥା ସିଏଚଏସଇ ପକ୍ଷରୁ କରାଯାଇଛି ।

-ଛାତ୍ରଛାତ୍ରୀ ପ୍ରୋଭିଜିନାଲ, ମାର୍କସିଟ୍ ଓ ସାର୍ଟିଫିକେଟ ଡିଜି ଲକରରୁ ପାଇପାରିବେ
-ଏ ନେଇ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ୬ଡିଜିଟ ନମ୍ବର ଦିଆଯିବ
-ଜୁନ ୧୦ ପରେ ଛାତ୍ରଛାତ୍ରୀ ଡିଜି ଲକରରୁ ସାର୍ଟିଫିକେଟ ଅପଲୋଡ କରିପାରିବେ
-ଅଫଲାଇନ ସହିତ ଡିଜି ଲକରରେ ସାର୍ଟିଫିକେଟ ପାଇବେ ଛାତ୍ରଛାତ୍ରୀ

ରେଜଲ୍ଟ ପୁସ୍ତିକା ଉନ୍ମୋଚନ ପରେ ଏକଘଂଟା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା । ହେଲେ ଦୁଇଘଂଟା ବିଳମ୍ବରେ ରେଜଲ୍ଟ ବାହାରିଥିଲା । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ସିଏଚଏସଇର ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଥିଲେ ।