ଭୁଲ୍ ମାନିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । +୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲେ କର୍ତୃପକ୍ଷ । ଉତ୍ତର ଦେଇଥିଲେ ମିଳିବ ଗ୍ରେସ୍ ମାର୍କ

179

କନକ ବ୍ୟୁରୋ: ସିଏଚଏସଇ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ହୋଇଛି ତ୍ରୁଟି । ଯାହାକୁ ଆଜି ସ୍ୱୀକାର କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କର୍ତ୍ତୃପକ୍ଷ । ସିଧାସଳଖ ସ୍ୱୀକାର ନ କରି ଯୁକ୍ତି ବାଢିଛି, ପାଠ୍ୟ ଖସଡା ବାହାରୁ ନୁହେଁ ବରଂ ଚଏସ ଡେଫିସିଟ୍ ବା ବିକଳ୍ପର ଅଭାବ ରହିଥିଲା ଫିଜିକ୍ସ ପ୍ରଶ୍ନପତ୍ରରେ ।

ସିଏଚଏସଇର ଯୁକ୍ତି

  • ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାଙ୍କ ସିଲାବସକୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା
  •  ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ରରେ କିଛି ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଆସିଥିଲା
  • ରେଗୁଲାର ଛାତ୍ରଛାତ୍ରୀଙ୍କ ପ୍ରଶ୍ନରେ ଚଏସ ଡେଫିସିଟ୍ ବା ବିକଳ୍ପ ପ୍ରଶ୍ନର ଅଭାବ ରହିଥିଲା
  • ଏହାକୁ ଆଉଟ ଅଫ୍ ସିଲାବସ ପ୍ରଶ୍ନପତ୍ର ଆସିବା ନେଇ ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ
  • ମୋଟ୍ ୧୯ ମାର୍କର ଚଏସ ଡେଫିସିଟ୍ ରହିଥିଲା
  • ଯେଉଁ ପରୀକ୍ଷାର୍ଥୀ ଏହି ପ୍ରଶ୍ନର ଉତ୍ତର ଦେବାକୁ ଉଦ୍ୟମ କରିଥିବେ ସେମାନଙ୍କୁ ମିଳିବ ଗ୍ରେସ ମାର୍କ
  • ଯେଉଁ ଛାତ୍ରଛାତ୍ରୀ ଉଦ୍ୟମ କରିନଥିବେ, ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ
  • କେଉଁଠି ତ୍ରୁଟି ରହିଲା ପରୀକ୍ଷା ପରେ ନିଷ୍ପତି ନିଆଯିବ

ସିବିଏସଇ ଢାଞ୍ଚାରେ ସିଲାବସ ଏବଂ ପରୀକ୍ଷା କରୁଥିବା ସିଏଚଏସଇ, ପରୀକ୍ଷା ଫଳ ପ୍ରକାଶନରେ ପାତରଅନ୍ତର କରୁଥିବା ପ୍ରତିବର୍ଷ ଅଭିଯୋଗ ହୋଇଥାଏ । ପ୍ରଥମେ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଥାଏ । ଯାହାକୁ ନେଇ ଶିକ୍ଷାବିତ୍ ବାରମ୍ବାର ପ୍ରଶ୍ନ ଉଠାଇଥିଲେ ।

ତେବେ ଚଳିତବର୍ଷ ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ମାର୍ଚ୍ଚ ୨୦ରେ ପରୀକ୍ଷା ସରୁଥିବା ବେଳେ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଖାତା ଦେଖା । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଓ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଦୁଇଟି ଫେଜରେ ଖାତା ଦେଖାହେବ । ପରୀକ୍ଷା ଖାତା ଦେଖିବା ପାଇଁ ନିୟୋଜିତ ହେବେ ୧୫ ହଜାର ଶିକ୍ଷକ । ମେ ୧୫ ଭିତରେ ଫଳ ପ୍ରକାଶ ହେବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।