କନକ ବ୍ୟୁରୋ : ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଠକୁ ଆଗମନ କରିଛନ୍ତି ଯୀଶୁ । କରୋନା ପାଇଁ ନିରାଡମ୍ବରରେ ପାଳନ ହେଉଛି ଖ୍ରୀଷ୍ଟ୍ରମାସ । ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାତ୍ର ୫୦ ଜଣଙ୍କ ଭିତରେ ଚର୍ଚ୍ଚରେ ବଡଦିନ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାମଲମ୍ବୀ । ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ଚର୍ଚ୍ଚ । ଝଲସୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ବୃକ୍ଷ । ଭାସିଆସୁଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି । ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ ।

Advertisment

ଏସବୁ ଭିତରେ କନ୍ଧମାଳ ଜିଲ୍ଲାର ସମସ୍ତେ ଖ୍ରୀଷ୍ଟିୟାନ ସଂପ୍ରଦାୟ ଯୀଶୁ ଜନ୍ମତ୍ସୋବ ପାଳନ କରୁଛନ୍ତି । ସରକାରଙ୍କ କଟକଣା ମାନି କମ୍ ସଂଖ୍ୟକ ଶ୍ରଦ୍ଧାଳୁରେ ଏହି ଦିନକୁ ପାଳନ କରାଯାଇଛି । ଫୁଲବାଣୀ  ସମେତ ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ଚର୍ଚ୍ଚଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ  ସୁରକ୍ଷା କର୍ମୀ ମୁତୟନ କରାଯାଇଛି  ।  ଲୋକେ ମାସ୍କ୍ ପିନ୍ଧି ସାମାଜିକ ଦୂରତା ମାନି ଗତକାଲି ମଧ୍ୟ ରାତ୍ରୀରେ ବଡଦିନ ପାଳନ କରିଛନ୍ତି । ପ୍ରଭୁ ଯୀଶୁଙ୍କୁ ଜନ୍ମ ପରେ ଚର୍ଚ୍ଚରେ ପ୍ରାର୍ଥନା, କ୍ୟାରେଲ୍ ଗାନ ଆରମ୍ଭ ହୋଇଥିଲା । ନାଚ ଗୀତ, ବାଜା ବଜେଇ ଛୋଟ ଶିଶୁକୁ ସ୍ୱାଗତ କରିଥିଲେ । ତା ପରେ ଦିବ୍ୟ ପ୍ରସାଦ ଲାଭ କରିଥିଲେ ଶ୍ରଦ୍ଧାଳୁ । ପୃଥିବୀକୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ପାଖରେ ସମୂହ ପ୍ରାର୍ଥନା କରିଥିଲେ ।