୩୧୪ ଦିନ ହେବ ମହାକାଶରେ ରହୁଛନ୍ତି ଏହି ମହିଳା, ଦିନକୁ ୧୬ ଥର ଦେଖୁଛନ୍ତି ସୂର୍ଯ୍ୟୋଦୟ । ଜାଣନ୍ତୁ ମହାକାଶର କିଛି ଅଜଣା କଥା ।

4,624

ରେକର୍ଡ ଭାଙ୍ଗିଲେ ମହିଳା ମହାକାଶଚାରୀ କ୍ରିଷ୍ଟିନା କୋଚ । ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟିନା । ଅର୍ନ୍ତଜାତୀୟ ସ୍ପେଶ ଷ୍ଟେସନରେ ୩୧୪ ଦିନ ବିତାଇ ସାରିଲେଣି କ୍ରିଷ୍ଟିନା । ଏହାପୂର୍ବରୁ ନାସାର ମହିଳା ମହାକାଶଚାରୀ ପେଗି ହ୍ୟୁଷ୍ଟନଙ୍କ ନାଁରେ ମହକାଶରେ ଅଧିକ ଦିନ ରହିବାର ରେକର୍ଡ ଥିଲା । ପେଗି ମହାକାଶରେ ୨୮୯ ଦିନ ପାଞ୍ଚ ଘଣ୍ଟା ଓ ୧ ମିନିଟ୍ ବିତାଇଥିଲେ । ଯାହାକୁ କ୍ରିଷ୍ଟ୍ରିନା ଭାଙ୍ଗିଛନ୍ତି । ଏହାଛଡା ଅନେକ ନୂଆ ନୂଆ ରେକର୍ଡ ହାସଲ କରିଛନ୍ତି ନାସାର ଏହି ମହାକାଶଚାରୀ ।

କ୍ରିଷ୍ଟ୍ରିନା ଦୁନିଆର ପ୍ରଥମ ମହିଳା ଯିଏ ନିଜର ଅନ୍ୟ ସହଯୋଗୀ ଜେସିକା ମୀରଙ୍କ ସହ ଅକ୍ଟୋବର ୨୦୧୯ରେ ମହାକାଶରେ ସ୍ପେଶୱାର୍କ କରିଥିଲେ । ବିଶ୍ୱ ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ମହିଳା କୌଣସି ପୁରୁଷ ସାଥୀଙ୍କ ବିନା ମହାକାଶରେ ସ୍ପେଶୱାର୍କ କରିଥିଲେ । କ୍ରିଷ୍ଟ୍ରିନାଙ୍କୁ ୧୪ ମାର୍ଚ୍ଚ ୨୦୧୯ରେ ସ୍ପେଶ ଷ୍ଟେସନକୁ ପଠାଯାଇଥିଲା । ପ୍ରଥମେ ୬ ମାସିକିଆ ମିଶନରେ କ୍ରିଷ୍ଟ୍ରିନାଙ୍କୁ ପଠା ଯାଇଥିଲେ ମଧ୍ୟ ପରେ ଏହାକୁ ବଢାଇ ଦିଆଯାଇଥିଲା । ଆସନ୍ତା ୬ ଫେବ୍ରୁଆରୀରେ କ୍ରିଷ୍ଟ୍ରିନା ପୃଥିବୀପୃଷ୍ଠକୁ ଫେରି ଆସିବେ ।

୩୧୪ ଦିନ ମହାକାଶରେ ବିତାଇଥିବା କ୍ରିଷ୍ଟ୍ରିନା ପ୍ରତ୍ୟେକ ଦିନ ୧୬ ଥର ସୂର୍ଯ୍ୟୋଦୟ ଦେଖିଥାଆନ୍ତି । କାରଣ ସ୍ପେଶ ଷ୍ଟେସନ ପୃଥିବୀର ଚାରି ପାଶ୍ୱର୍ରେ ଘୂରି ବୁଲୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ । ତେଣୁ ଏବେ ପର୍ଯ୍ୟନ୍ତ କ୍ରିଷ୍ଟ୍ରିନା ୩୧୪ ଦିନର ରହଣି ମଧ୍ୟରେ ୫୦୨୪ ସୂର୍ଯ୍ୟୋଦୟ ଦେଖି ସାରିଛନ୍ତି ।

୪୦ ବର୍ଷିୟା କ୍ରିଷ୍ଟ୍ରିନାଙ୍କୁ ୨୦୧୩ରେ ନାସା ଚୟନ କରିଥିଲା । ୨୦୧୫ରେ ମହାକାଶଚାରୀ ଭାବେ ଟ୍ରେନିଂ ପୂରା କରିଥିଲେ କ୍ରିଷ୍ଟ୍ରିନା । ମିଶିଗନରେ ଜନ୍ମ ନେଇଥିବା କ୍ରିଷ୍ଟ୍ରିନା ଉତ୍ତର କ୍ୟାରୋଲିନା ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ ।