ମହାକାଶରୁ ଫେରିଲେ, ଇତିହାସ ରଚିଲେ । ପ୍ରଥମ ମହିଳା ଭାବେ ମହାକାଶରେ ୩୨୮ ବିତାଇଲେ, ପ୍ରତିଦିନ ୧୬ ଥର ସୂର୍ଯ୍ୟୋଦୟ ଦେଖୁଥିଲେ କ୍ରିଷ୍ଟ୍ରିନା ।

4,482

କନକ ବ୍ୟୁରୋ : ମହାକାଶରୁ ଫେରିଲେ, ଇତିହାସ ରଚିଲେ । ନାସାର ମହିଳା ମହାକାଶଚାରୀ କ୍ରିଷ୍ଟିନା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପ୍ରାୟ ୧୧ ମାସ ବିତାଇବା ପରେ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ସମୟ ମୁତାବକ ୯ଟା ବାଜି ୧୨ ମିନିଟ୍ ସମୟରେ ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡ କରିଛନ୍ତି କ୍ରିଷ୍ଟିନା । ଆଉ ପୃଥିବୀ ପୃଷ୍ଠରେ ପାଦ ଦେବା ସହ ମହାକାଶରେ ୩୨୮ ବିତାଇ ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟ୍ରିନା । କ୍ରିଷ୍ଟିନାଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ଲୁକା ପରମିତନୋ ଓ ଆଲେକଜାଣ୍ଡାର ମଧ୍ୟ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି । ତେବେ ପୃଥିବୀପୃଷ୍ଠରେ ପହଞ୍ଚିବା ପରେ ହସ ହସ ମୁହଁରେ ସମସ୍ତଙ୍କୁ ଅଭିବାଦନ ଜଣାଇବା ସହ କହିଛନ୍ତି, ଏହି ମିଶନ ପାଇଁ ମୁଁ ବହୁତ ଖୁସି ।

ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟିନା । ଅର୍ନ୍ତଜାତୀୟ ସ୍ପେଶ ଷ୍ଟେସନରେ ୩୨୮ ଦିନ ବିତାଇଛନ୍ତିକ୍ରିଷ୍ଟିନା । ଏହାପୂର୍ବରୁ ନାସାର ମହିଳା ମହାକାଶଚାରୀ ପେଗି ହ୍ୟୁଷ୍ଟନଙ୍କ ନାଁରେ ମହକାଶରେ ଅଧିକ ଦିନ ରହିବାର ରେକର୍ଡ ଥିଲା । ପେଗି ମହାକାଶରେ ୨୮୯ ଦିନ ପାଞ୍ଚ ଘଣ୍ଟା ଓ ୧ ମିନିଟ୍ ବିତାଇଥିଲେ । ଯାହାକୁ କ୍ରିଷ୍ଟ୍ରିନା ଭାଙ୍ଗିଛନ୍ତି । ଏହାଛଡା ଅନେକ ନୂଆ ନୂଆ ରେକର୍ଡ ହାସଲ କରିଛନ୍ତି ନାସାର ଏହି ମହାକାଶଚାରୀ ।

କ୍ରିଷ୍ଟ୍ରିନା ଦୁନିଆର ପ୍ରଥମ ମହିଳା ଯିଏ ନିଜର ଅନ୍ୟ ସହଯୋଗୀ ଜେସିକା ମୀରଙ୍କ ସହ ଅକ୍ଟୋବର ୨୦୧୯ରେ ମହାକାଶରେ ସ୍ପେଶୱାର୍କ କରିଥିଲେ । ବିଶ୍ୱ ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ମହିଳା କୌଣସି ପୁରୁଷ ସାଥୀଙ୍କ ବିନା ମହାକାଶରେ ସ୍ପେଶୱାର୍କ କରିଥିଲେ । କ୍ରିଷ୍ଟ୍ରିନାଙ୍କୁ ୧୪ ମାର୍ଚ୍ଚ ୨୦୧୯ରେ ସ୍ପେଶ ଷ୍ଟେସନକୁ ପଠାଯାଇଥିଲା । ପ୍ରଥମେ ୬ ମାସିକିଆ ମିଶନରେ କ୍ରିଷ୍ଟ୍ରିନାଙ୍କୁ ପଠା ଯାଇଥିଲେ ମଧ୍ୟ ପରେ ଏହାକୁ ବଢାଇ ଦିଆଯାଇଥିଲା ।

୩୨୮ ଦିନ ମହାକାଶରେ ବିତାଇଥିବା କ୍ରିଷ୍ଟ୍ରିନା ପ୍ରତ୍ୟେକ ଦିନ ୧୬ ଥର ସୂର୍ଯ୍ୟୋଦୟ ଦେଖିଥାଆନ୍ତି । କାରଣ ସ୍ପେଶ ଷ୍ଟେସନ ପୃଥିବୀର ଚାରି ପାଶ୍ୱର୍ରେ ଘୂରି ବୁଲୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ । ତେଣୁ ଏବେ ପର୍ୟ୍ୟନ୍ତ କ୍ରିଷ୍ଟ୍ରିନା ୩୨୮ ଦିନର ରହଣି ମଧ୍ୟରେ ୫୨୨୮ ସୂର୍ଯ୍ୟୋଦୟ ଦେଖି ସାରିଛନ୍ତି । ଏହି ମିଶନରେ ପୃଥିବୀ ଚାରିପାଖରେ ୫୪୨୮ ଥର ଘୂରିଛନ୍ତି କ୍ରିଷ୍ଟିନା । ଆଉ ଏହି ସମୟ ମଧ୍ୟରେ ପ୍ରାୟ ୩.୯ କୋଟି କିଲୋମିଟର ପରିକ୍ରମା କରିଛନ୍ତି କ୍ରିଷ୍ଟିନା । ସବୁଠୁ ବଡ କଥା ହେଲା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ୬ ଥର ସ୍ପେଶୱାର୍କ କରିଛନ୍ତି କ୍ରିଷ୍ଟ୍ରିନା । ଏତେ ଦିନର ରହଣି ସମୟରେ ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର ଓ ମଙ୍ଗଳ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି କ୍ରିଷ୍ଟିନା ।

୪୦ ବର୍ଷିୟା କ୍ରିଷ୍ଟ୍ରିନାଙ୍କୁ ୨୦୧୩ରେ ନାସା ଚୟନ କରିଥିଲା । ୨୦୧୫ରେ ମହାକାଶଚାରୀ ଭାବେ ଟ୍ରେନିଂ ପୂରା କରିଥିଲେ କ୍ରିଷ୍ଟ୍ରିନା । ମିଶିଗନରେ ଜନ୍ମ ନେଇଥିବା କ୍ରିଷ୍ଟ୍ରିନା ଉତ୍ତର କ୍ୟାରୋଲିନା ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ ।