କନକ ବ୍ୟୁରୋ : ଫୁଟବଲ ଇତିହାସର ସବୁଠୁ ବଡ଼ ଚୁକ୍ତି । ସାଉଦି ଆରବର କ୍ଲବ ଅଲ-ନସର କ୍ଲବରେ ଏବେ ଖେଳିବେ ବିଶ୍ୱ ଫୁଟବଲ ଜଗତର ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋ । ଅଢ଼େଇ ବର୍ଷ ପାଇଁ ଏହି ଚୁକ୍ତି ହୋଇଥିବା ବେଳେ ସେ ଏଥିପାଇଁ ପ୍ରାୟ ୧୮ ଶହ କୋଟି ଟଙ୍କା ପାଇବେ । ବିବାଦ ପରେ ରୋନାଲଡୋଙ୍କୁ ବାହାର କରିଦେଇଥିଲା ମାଂଚେଷ୍ଟର ୟୁନାଇଟେଡ୍ । ନୂଆ ଚୁକ୍ତି ନେଇ ସେ କହିଛନ୍ତି ଯେ, ପୂର୍ବରୁ ୟୁରୋପରେ ଖେଳୁଥିଲେ, ଏବେ ସାଉଦି ଆରବରେ ଖେଳିବା ପାଇଁ ଉତ୍ସାହିତ ଅଛନ୍ତି ।

Advertisment

ଆଇପିଏଲ ନିଲାମ ଉପରେ ଭାରତୀୟ କ୍ରିକେଟପ୍ରେମୀଙ୍କ ନଜର ଅଟକିଥାଏ । କାରଣ କେଉଁ ଖେଳାଳି କେତେ ଦାମରେ ନିଲାମ ହେଉଛନ୍ତି, ତାକୁ ନେଇ ଉତ୍ସୁକତା ରହିଥାଏ । ହେଲେ ବିଶ୍ୱର ଶ୍ରେଷ୍ଠ ଫୁଟବଲ ଖେଳାଳିମାନେ ଯେତେବେଳେ ନୂଆ ଟିମ୍ ଯୋଗ ଦିଅନ୍ତିି, ସେତେବେଳେ ରେକର୍ଡ ଅର୍ଥର କାରବାର ହୋଇଥାଏ ।

ଫୁଟବଲ ଜଗତର ବର୍ତମାନର ସବୁଠୁ ବଡ଼ ଖେଳାଳିଙ୍କ ନାଁ ଆସିଲେ, ଲିଓନେଲ ମେସିଙ୍କ ସହ ଆଉ ଯାହାର ନାଁ ମନକୁ ଆସେ ସେ ହେଉଛନ୍ତି ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ । ନିଜର ଖେଳିବାର କୌଶଳରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥାନ୍ତି ଏହି ଯାଦୁଗର ଜଣକ । ମେସି ବିଶ୍ୱକପ୍ ଜିତି ନିଜ ନାଁକୁ ଅମର କରାଇ ନେଇଛନ୍ତି, ହେଲେ ନିଜର ରେକର୍ଡ ଡିଲ ମାଧ୍ୟମରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋନାଲଡୋ । ବିଶ୍ୱର ସବୁଠୁ ଦାମୀ ଖେଳାଳୀ ଭାବେ ଇତିହାସ ରଚିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ । ୨୧୪ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୭ ଶହ ୭୦ କୋଟିରୁ ଅଧିକ ଟଙ୍କାରେ ସାଉଦି ଆରବର ଏକ କ୍ଲବ ‘ଅଲ ନାସର’ ସହ ଚୁକ୍ତି କରିଛନ୍ତି ରୋନାଲ୍ଡୋ । ଅଢେଇ ବର୍ଷ ପାଇଁ ଏହି ଚୁକ୍ତି ହୋଇଛି । ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅଲ ନାସର କ୍ଲବ ପକ୍ଷରୁ ଖେଳିବେ ରୋନାଲଡୋ । ଫିଫା ବିଶ୍ୱକପ ପୂର୍ବରୁ ରୋନାଲ୍ଡୋଙ୍କୁ ମଂଚେଷ୍ଟର ୟୁନାଇଟେଡ୍ କ୍ଳବ ଟିମରୁ ବାହାର କରିଦେଇଥିଲେ । ସେ ମଂଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ୩୪୬ ମ୍ୟାଚ ଖେଳି ୧୪୫ ଟି ଗୋଲ କରିଛନ୍ତି ।

ପୂର୍ବରୁ ସାଉଦି ଆରବର ଅନ୍ୟ ଏକ ଟିମ୍ “ଅଲ ହିଲାଲ’ ରୋନାଲ୍ଡୋଙ୍କୁ ପ୍ରାୟ ୩ ହଜାର କୋଟିର ଅଫର ଦେଇଥିଲା । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରି ବିଶ୍ୱକପ୍ ଉପରେ ଫୋକସ୍ କରିଥିଲେ ରୋନାଲଡୋ । ହେଲେ ଏବେ ପୁଣି ସାଉଦି ଆରବର ଏକ ଟିମ୍ ବାଜି ମାରି ନେଇଛି । ନୀଳ ଏବଂ ହଳଦିଆ ରଙ୍ଗର ଟି-ସାର୍ଟରେ ତାଙ୍କ ପସନ୍ଦର ନମ୍ବର ୭ ଲେଖାଥିବା “ଅଲ ନାସର’ର ଜର୍ସି ଧରି ଫଟୋ ଉଠାଇଛନ୍ତି ରୋନାଲ୍ଡୋ । ଅଲ ନାସର କ୍ଳବ ପକ୍ଷରୁ ଏହି ଫଟୋ ଟୁଇଟ୍ କରାଯାଇ ଚୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ସାଉଦି ଆରବର ଏକ କ୍ଲବରୁ ଖେଳିବା ନେଇ ବେଶ୍ ଉତ୍ସାହୀ ଅଛନ୍ତି ରୋନାଲଡୋ । ସେ ଲେଖିଛନ୍ତି, ପୂର୍ବରୁ ୟୁରୋପରୁ ଖେଳୁଥିଲି, ଏବେ ସାଉଦି ଆରବରୁ ଖେଳିବି । ୧୭୭୦ କୋଟି ଟଙ୍କାରେ ରୋନାଲଡୋଙ୍କ ଏହି ଚୁକ୍ତିକୁ ଫୁଟବଲ ଇତିହାସର ସବୁଠୁ ବଡ଼ ଚୁକ୍ତି କୁହାଯାଉଛି । ପ୍ରତି ସପ୍ତାହକୁ ସେ ପ୍ରାୟ ୩୪ କୋଟି ଟଙ୍କା ରୋଜଗାର କରିବେ । ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ସେ ୫ ଥର ବାଲାନ୍-ଡୋର ପୁରସ୍କାର ଜିତିଛନ୍ତି । ମେସି ୭ ଥର ଏହି ପୁରସ୍କାର ଜିତି ରେସରେ ଆଗରେ ଅଛନ୍ତି ।