ନ୍ୟୁଜିଲାଣ୍ଡରେ ଆତଙ୍କର ଖେଳ: ଆତତାୟୀଙ୍କ ଗୁଳିମାଡରେ ଟଳିପଡିଲେ ୪୯ ଲୋକ, ପଢନ୍ତୁ କିଭଳି ଥିଲା ଭୟଆତଙ୍କର ସେହି ସମୟ ଯେଉଁଠି ପାଦେ ପାଦେ ଥିଲା ମୃତ୍ୟୁ?

ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଲା ବାଂଲା କ୍ରିକେଟ୍ ଟିମ୍

725

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ ଘଟଣାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଶେଷ ଖବର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୯କୁ ବୃଦ୍ଧି ହୋଇଛି । ଅନେକ ଆହତ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପ୍ରଥମେ ଦୁର୍ବୁତ ଅଲନୁର ମସଜିଦ ଓ ପରେ ଲିନ୍ ବୁଡ ମସଜିଦକୁ ଟାର୍ଗେଟ୍ କରି ଆଖିବୁଜା ଗୁଳିମାଡ କରିଥିଲା । ତେବେ ମସଜିଦ୍ ଗୁଳିକାଣ୍ଡରେ ଅଳ୍ପକେ ବର୍ତିଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ପଢନ୍ତୁ କିଭଳି ଥିଲା ଭୟଆତଙ୍କର ସେହି କିଛି ସମୟ ଯେଉଁଠି ପାଦେ ପାଦେ ଥିଲା ମୃତ୍ୟୁ ।

ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହର । ସ୍ଥାନ – ଅଲ୍ ନୁର୍ ମସଜିଦ୍ । ବାଂଲାଦେଶୀ କ୍ରିକେଟ୍ ଟିମ୍ ନମାଜ୍ ପଢୁଥିବା ବେଳେ ହଠାତ ଶୁଭେ ଗୁଳିମାଡ଼ର ଶବ୍ଦ । ମୁହଁରେ କଳା କପଡ଼ା ଓ ହେଲମେଂଟ ଲଗାଇ ଆସିଥିବା ଦୁର୍ବୁର୍ତ ମସଜିଦକୁ ଟାର୍ଗେଟ୍ କରି ଆଖିବୁଜା କରନ୍ତି ଗୁଳିମାଡ଼ । ଆରମ୍ଭ ହୋଇଯାଏ ଧାଁ ଦଉଡ଼ । ନ୍ୟୁଜିଲାଣ୍ଡର ସେନା ପୋଷାକରେ ଆସିଥିବା ଦୁର୍ବୁର୍ତଙ୍କ ଗୁଳିମାଡ଼ ଜାରି ଥିବା ଭିତରେ ବାଂଲାଦେଶୀ ଖେଳାଳୀଙ୍କୁ ମସଜିଦରୁ ସୁରକ୍ଷିତ ବାହାରକୁ ବାହାର କରିବାରେ ସଫଳ ହୁଅନ୍ତି । ଅଲନୁର ମସଜିଦ ବ୍ୟତୀତ ଲିନଉଡ୍ ମସଜିଦରେ ମଧ୍ୟ ଦୁର୍ବୁର୍ତ ଗୁଳିମାଡ଼ କରିଛନ୍ତି । ହମଲାରେ ୪୫ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ବାଂଲା ଖେଳାଳୀ । ଆକ୍ରମଣକାରୀ ଆତଙ୍କୀ ଜଣେ ଅଷ୍ଟ୍ରେଲୀୟ ନାଗରିକ ବୋଲି ସ୍ପଷ୍ଟ କରିଛି ନ୍ୟୁଜିଲ୍ୟାଣ୍ଡ ।

ଗୁଳିକାଣ୍ଡ ଘଟଣାରେ ପୋଲିସ ଆରମ୍ଭ କରିଛି ଗିରଫଦାରୀ । ଅଷ୍ଟ୍ରେଲୀୟ ଆତଙ୍କୀ ସମେତ ୪ଜଣଙ୍କୁ ଗିରଫ କରି ପୁଲିସ ଚଳାଇଛି ଛାନଭିନ୍ । ଏହି ଗୁଳିକାଣ୍ଡ ପରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରଦ୍ଦ ହୋଇଯାଇଛି । ସେପଟେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା କୁହାଯାଉଛି । ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡନ୍ । ଗୁଳିକାଣ୍ଡ ଘଟଣାରେ ୪ ଜଣ ଆତତାୟୀକୁ ପୋଲିସ ଗିରଫ କରିଛି ।

୨୦୦୯ ମାର୍ଚ୍ଚ ୩ ତାରିଖ । ସ୍ଥାନ – ଲାହୋର୍ ଗଦାଫି ଷ୍ଟାଡ଼ିୟମ୍ । ଶ୍ରୀଲଙ୍କା କ୍ରିକେଟ ଟିମ୍ ପାକିସ୍ତାନରେ ଥିବା ବେଳେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ବାଂଲା ଦେଶ କ୍ରିକେଟ ଟିମ୍ ସମାନ ଘଟଣାର ସମ୍ମୁଖୀନ ହୋଇଛନ୍ତି ଆଉ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ବାଂଲା ଖେଳାଳି ।