ଏହି ବଲିଉଡ୍ ସିନେମା ଉପରେ ପଡିଲା ନ୍ୟୁଜିଲାଣ୍ଡ ଗୁଳିକାଣ୍ଡର ପ୍ରଭାବ ! ସବୁ ପ୍ରେକ୍ଷାଳୟରୁ ହଟାଗଲା ଫିଲ୍ମ ‘ହୋଟେଲ୍ ମୁମ୍ବାଇ’ ।  

197

ଗତ ଶୁକ୍ରବାର ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚରେ ଥିବା ଦୁଇଟି ମସଜିଦରେ ବନ୍ଧୁକଧାରୀ ଆତତାୟୀ ଆକ୍ରମଣ କରିଥିଲେ । ହଠାତ୍ ଏହି ଆକ୍ରମଣ ହୋଇଥିବା ବେଳେ ପ୍ରାୟ ୪୯ଜଣ ମୃତ୍ୟୁବରଣ କରିବା ସହ ୨୦ଜଣ ଆହତ ହୋଇଥିବାର ସୂଚନା ମିଳିଥିଲା । ଏବେ ଏହି ଘଟଣାର ପ୍ରଭାବ ନ୍ୟୁଜିଲାଣ୍ଡର ସିନେମାଘରମାନଙ୍କରେ ପଡ଼ିଥିବା ଦେଖା ଯାଇଛି । ଏହି ଆକ୍ରମଣ ପରେ ପରେ ସବୁ ସିନେମା ଘରୁ ଫିଲ୍ମ ‘ହୋଟେଲ ମୁମ୍ବାଇ’କୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି ।

୨୦୦୮ରେ ମୁମ୍ବାଇର ତାଜ୍ ହୋଟେଲ ଉପରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଥିବା ବେଳେ ଫିଲ୍ମରେ ଦେବ ପଟେଲଙ୍କ ସମେତ ଓସ୍କାର ନମିନେଟେଡ୍ ଅଭିନେତା ଆରମୀ ହୈମର ଏବଂ ଅନୁପମ ଖେର୍ ଅଭିନୟ କରିଛନ୍ତି । ନ୍ୟୁଜିଲାଣ୍ଡର ଆଇକନ୍ ଫିଲ୍ମ ଡିଷ୍ଟ୍ରିବ୍ୟୁସନ ତରଫରୁ ଏକ ବୟାନ ଜାରି କରାଯାଇ, ନ୍ୟୁଜିଲାଣ୍ଡର ସବୁ ସିନେମା ଘରୁ ଫିଲ୍ମ ‘ହୋଟେଲ ମୁମ୍ବାଇ’କୁ ହଟାଇ ଦିଆଯାଇଥିବା ସୂଚନା ଦିଆଯାଇଛି । ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚରେ ଥିବା ଦୁଇ ମସଜିଦରେ ଗୁଳିକାଣ୍ଡ ହେବା ପରେ ଏଭଳି ନିଷ୍ପତ୍ତି ନିଆଯିବା ସହ ଫିଲ୍ମକୁ ନେଇ ହେଉଥିବା ସମସ୍ତ ବିଜ୍ଞାପନ ଏବଂ ପ୍ରଚାରକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫିଲ୍ମର ନିର୍ଦ୍ଦେଶନା ଆନ୍ଥନୀ ମାରସ ଦେଇଥିବା ଜଣା ପଡ଼ିଛି ।