ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା । ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଏହି ଷ୍ଟାର ବୋଲର ।

541

କନକ ବ୍ୟୁରୋ: ଆଇପିଏଲ୍-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟକା । ଦଳର ଷ୍ଟାର ବୋଲର କ୍ରିସ୍ ୱକସ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଛନ୍ତି । ସୋମବାର ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେବେ କ୍ରିସ୍ ୱକସଙ୍କ ବଦଳରେ ଦିଲ୍ଲୀ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବେନ୍ ଡବାରଶୁଇସଙ୍କୁ ଦଳରେ ସାମିଲ କରିଛି ।

କ୍ରିସ୍ ୱକସ୍ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ୩ଟି ମ୍ୟାଚ୍ ଖେଳି ୫ଟି ୱିକେଟ୍ ପାଇଥିଲେ । ହେଲେ ଏବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଗାମୀ ମ୍ୟାଚରୁ ଓହରିଯାଇଛନ୍ତି । ତାଙ୍କ ବଦଳରେ ଦିଲ୍ଲୀ ଦଳରେ ସ୍ଥାନ ପାଇଥିବା ବେନଙ୍କୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳରେ ମଧ୍ୟ ସୁଯୋଗ ମିଳିନି । ହେଲେ ବିଗ୍ ବାସ ଲିଗରେ ତାଙ୍କର ଉନ୍ନତ ପ୍ରଦର୍ଶନ ତାଙ୍କୁ ଦିଲ୍ଲୀ ଦଳରେ ସାମିଲ କରିଛି ।
ବିଗବାସରେ ସେ ମୋଟ ୬୯ଟି ମ୍ୟାଚ୍ ଖେଳି ୮୫ଟି ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ସେ ବିଗବାସରେ ଶ୍ରେଷ୍ଠ ବୋଲର ତାଲିକାର ଷଷ୍ଠ ସ୍ଥାନରେ ଥିଲେ । ଆଉ ତାଙ୍କର ଏହି ଉନ୍ନତ ପ୍ରଦର୍ଶନ ଦେଖି ଦଳ ତାଙ୍କୁ ନିଟ୍ ଟିମରେ ସାମିଲ କରିଛି ।

ତେବେ ବେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲର କିଛି ମ୍ୟାଚରେ ଯୋଡି ହୋଇପାରିବେନି । କ୍ୱାରେଣ୍ଟିନ୍ ନିୟମ ହେତୁ ସେ ପ୍ରଥମ କିଛି ମ୍ୟାଚ ହାତଛଡା କରିବେ । ଏହାପରେ ଅବଶ୍ୟ ସେ ଦଳରେ ସାମିଲ ହୋଇ ମ୍ୟାଚ୍ ଖେଳିପାରିବେ । ତେବେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଅନେକ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଲିଗରୁ ଓହରି ସାରିଲେଣି । ଯାହା ମଧ୍ୟରେ ଅଧିକାଂଶ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳର ଖେଳାଳି ରହିଛନ୍ତି ।