ମୁଁ କାଲି ପାକିସ୍ତାନ ଯାଉଛି, ଆଉ କିଏ ଯିବ? ଗେଲଙ୍କ ଟ୍ୱିଟକୁ ନେଇ ଜୋରଦାର ଚର୍ଚ୍ଚା ।

350

କନକ ବ୍ୟୁରୋ : ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ବିପକ୍ଷ ସିରିଜ ବାତିଲ କରି ନ୍ୟୁଜିଲାଣ୍ଡ ଫେରି ଆସିବା ପରେ ଏବେ ଏହାକୁ ନେଇ ବିବାଦ ଦେଖାଦେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡକୁ ଟାର୍ଗେଟ କରୁଥିବା ବେଳେ ଏବେ ୱେଷ୍ଟଇଣ୍ଡିଜର ଖେଳାଳୀ କ୍ରିସ୍ ଗେଲଙ୍କ ଏକ ଟ୍ୱିଟ ଟ୍ରେଣ୍ଡିଂ କରୁଛି । ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । ନ୍ୟୁଜିଲାଣ୍ଡ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନରୁ ଫେରି ଆସିଥିବା ବେଳେ କ୍ରିସ ଗେଲ ରବିବାର ଏକ ଟ୍ୱିଟ୍ କରି କହିଛନ୍ତି ମୁଁ କାଲି ପାକିସ୍ତାନ ଯାଉଛି, କିଏ ମୋ ସହିତ ପାକିସ୍ତାନ ଆସିବ । ତେବେ ଗେଲ କେବଳ ମଜା ପାଇଁ ଏଭଳି ଟ୍ୱିଟ୍ କରିଛନ୍ତି । କିନ୍ତୁ ଗେଲଙ୍କ ଟ୍ୱିଟକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

ଗେଲ ଟ୍ୱିଟ୍ କରିବା ପରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର କମେଣ୍ଟରେ କହିଛନ୍ତି, ଆପଣଙ୍କ ସହ ପାକିସ୍ତାନରେ ଭେଟ ହେବ ଲିଜେଣ୍ଡ । ଗେଲ ଏବେ ଆଇପିଏଲ ପାଇଁ ୟୁଏଇରେ ଅଛନ୍ତି । ସେଠାରେ ପଞ୍ଜାବ କିଙ୍ଗସ ଟିମ୍ ପାଇଁ ଅଭ୍ୟାସ କରୁଛନ୍ତି । ଗେଲ କରିଥିବା ଏହି ଟ୍ୱିଟକୁ ପାକିସ୍ତାନ କ୍ରିକେଟ ବୋର୍ଡ ରି-ଟ୍ୱିଟ୍ କରିଛି । କେବଳ ପିସିବି ନୁହେଁ ଦୁଇଥର ଟି-୨୦ ବିଶ୍ୱବିଜେତା ଅଧିନାୟକ ଡାରେନ ସାମି ମଧ୍ୟ ଏହି ଟ୍ୱିଟକୁ ନେଇ ନିଜର ରାୟ ଦେଇଛନ୍ତି ।

ସାମି କହିଛନ୍ତି, ସୁରକ୍ଷା କାରଣରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ସିରିଜ ରଦ୍ଦ ହେବା ବେଶ ନିରାଶଜନକ । ଗତ ୬ ବର୍ଷ ହେବ ପାକିସ୍ତାନ ଗସ୍ତ କରିବା ଓ ଏଠାରେ ଖେଳିବା ମୋ ପାଇଁ ସବୁଠୁ ଖୁସି ମୁହୂର୍ତ୍ତ । ଏଠାରେ ମୁଁ ସବୁବେଳେ ସୁରକ୍ଷିତ ଅନୁଭବ କରେ । ସିରିଜ ରଦ୍ଦ ହେବା ପାକିସ୍ତାନ ପାଇଁ ସବୁଠୁ ବଡ ଝଟକା ।
୧୭ ନଭେମ୍ବରରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ହେବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ରଦ୍ଦ କରିବା ସହ ସିରିଜକୁ ବାତିଲ କରାଯାଇଛି । ଏପରିକି ନ୍ୟୁଜିଲାଣ୍ଡ ଟିମ୍ ପାକିସ୍ତାନରୁ ଫେରି ଏବେ ଦୁବାଇରେ ପହଞ୍ଚିଛି । ଏଠାରେ ଗୋଟିଏ ଦିନ ସଙ୍ଗରୋଧରେ ରହିବା ପରେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବ କିୱି ଟିମ୍ ।