ଇତିହାସ ରଚିଲେ କ୍ରିସ୍ ଗେଲ୍ ! ଇଂଲଣ୍ଡ ବିପକ୍ଷରେ କଲେ ଛକା ବର୍ଷା, ନିଜ ରେକର୍ଡ ନିଜେ କଲେ ବ୍ରେକ୍ ।

1,108

ନିଆରା ବ୍ୟାଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା କ୍ରିସ୍ ଗେଲ୍ କ୍ରିକେଟ୍ ଜଗତରେ ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ । ଶନିବାର ରାତିରେ ଛକାର ବର୍ଷା କରି ଇତିହାସ ରଚିଛନ୍ତି ଗେଲ୍ । ୩୯ ବର୍ଷୀୟ ଏହି ୱେଷ୍ଟଇଣ୍ଡିଜ୍ ଖେଳାଳୀ ଇଂଲଣ୍ଡ ବିପକ୍ଷରେ ଗ୍ରାସ୍ ଆଇଲେଟ୍ ଠାରେ ଖେଳାଯାଇଥିବା ସିରିଜର ଅନ୍ତିମ ଦିନିକିଆ ମୁକାବିଲାରେ ମାତ୍ର ୨୭ଟି ବଲରେ ୭୭ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ସେ ୯ଟି ବିଶାଳ ଛକା ମାରିଥିଲେ । ଏହା ସହ ଦମଦାର ବ୍ୟାଟିଂ କରି ନିଜ ରେକର୍ଡକୁ ନିଜେ ପଛରେ ପକାଇଛନ୍ତି ।

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ନମ୍ବର ୧ ଟିମ୍ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ସିରିଜରେ ୪ଟି ଇନିଂସରେ ସେ ମୋଟ୍ ୩୯ଟି ଛକା ମାରିଛନ୍ତି । ସୂଚନା ଅନୁଯାୟୀ, କ୍ରିକେଟ୍ ଜଗତରେ ଯେକୌଣସି ଫର୍ମାଟରେ ଆଜି ପର୍ଯ୍ୟନ୍ତ କେହି ହେଲେ ବି ଖେଳାଳୀ ଏତେ ଛକା ମାରିନାହାନ୍ତି । ତେବେ ଏହା ପୂର୍ବରୁ ଗେଲ୍ ୨୦୧୫ ବିଶ୍ୱକପରେ ମୋଟ୍ ୬ଟି ଇନିଂସରେ ୨୬ଟି ଛକା ମାରିଥିଲେ । ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ୬ଟି ଇନିଂସରେ ୨୩ଟି ଛକା ମାରିଥିଲେ ।