ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇନାହାଁନ୍ତି କ୍ରିସ୍ ଗେଲ୍ । ପଢନ୍ତୁ, ଅବସର ନେଇ କଣ କହିଲେ ୱେଷ୍ଟଇଣ୍ଡିଜର ଏହି ଷ୍ଟାର ଖେଳାଳି…

194

କନକ ବ୍ୟୁରୋ: ଚଳିତ ବିଶ୍ୱକପ ୱେଷ୍ଟଇଣ୍ଡିଜ୍ ପାଇଁ ଭଲ ଯାଇନି । ଦଳ ୫ଟି ଲିଗ୍ ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବାବେଳେ ୪ଟି ମ୍ୟାଚରେ ପରାଜୟ ଭୋଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱକପ ପରେ ଦଳର ଷ୍ଟାର ଅଲରାଉଣ୍ଡ ଡ୍ୱେନ୍ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆଉ ତାଙ୍କ ସହିତ କ୍ରିସ୍ ଗେଲ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଚର୍ଚ୍ଚା ହେଉଛି । ହେଲେ ଏହି ବିଷୟରେ ଏବେ ବଡ ବୟାନ ରଖିଛନ୍ତି ନିଜେ କ୍ରିସ୍ ଗେଲ୍ ।

ଶନିବାର ଅଷ୍ଟ୍ରେଲିଆଠାରୁ ୮ ୱିକେଟରେ ହାରିବା ପରେ ଗେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବୋଲି ଅନେକ ବିଶେଷଜ୍ଞ କହିବା ଆରମ୍ଭ କରିଦେଇଥିଲେ । ହେଲେ ଏହି ମ୍ୟାଚ ପରେ ଏକ ଫେସବୁକ୍ ସୋ’ରେ ଭାଗ ନେଇ ଗେଲ କହିଛନ୍ତି, ସେ ଏବେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ରିୟାୟର୍ ହୋଇନାହାଁନ୍ତି । ହେଲେ ସେହି ସମୟ ବହୁତ ଖୁବଶୀଘ୍ର ଆସୁଛି ।

ଖାଲି ସେତିକି ନୁହେଁ, ଗେଲ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କ୍ୟାରିୟର ଶାନଦାର ରହିଥିଲା । ହେଲେ ସେ ଏବେ ସନ୍ୟାସ ଘୋଷଣା କରିନାହାଁନ୍ତି । ତେବେ ଜାମାଇକାରେ ସେ ନିଜର ଶେଷ ମ୍ୟାଚ୍ ଖେଳିବେ ବୋଲି ସଙ୍କେତ ଦେଇଛନ୍ତି । ଯଦି ସେପରି ନହୁଏ ତେବେ ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବେ ବୋଲି କହିଛନ୍ତି । ଅନ୍ୟପଟେ ତାଙ୍କ ପଛପଟେ ତାଙ୍କୁ ସବୁବେଳେ ସପୋର୍ଟ କରୁଥିବାରୁ ସେ ଡ୍ୱେନ୍ ବ୍ରାଭୋଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କ୍ରିସ୍ ଗେଲ ୱେଷ୍ଟଇଣ୍ଡିଜ୍ ପାଇଁ ୭୯ଟି ଟି-୨୦, ୧୦୩ଟି ଟେଷ୍ଟ ଓ ୩୦୧ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଦୀର୍ଘ ୨୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଦୁଇଟି ତ୍ରିଶତକ ମଧ୍ୟ ମାରିଛନ୍ତି । ଖାଲି ସେତିକି ନୁହେଁ, ସେ ଦୁଇ ଦୁଇଥର ଟି-୨୦ ବିଶ୍ୱକପ୍ ବିଜୟୀ ୱେଷ୍ଟଇଣ୍ଡିଜ୍ ଦଳର ସଦସ୍ୟ ମଧ୍ୟ ଥିଲେ ।