୨୦୧୪ରେ ଚା’ବାଲା, ୨୦୧୯ରେ ଚୌକିଦାର ! ସ୍ଲୋଗାନ ଜରିଆରେ ବିଜେପି ପ୍ରଚାରର ଅଭିନବ ଫମୁର୍ଲା, ସେପଟେ ବିରୋଧୀଙ୍କ ‘ମୁଁ ବି ବେରୋଜଗାର କ୍ୟାମ୍ପେନ୍’ ।

180

କନକ ବ୍ୟୁରୋ : ୨୦୧୪ରେ ଚା’ ବାଲା ଆଉ ୨୦୧୯ରେ ଚୌକିଦାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିଜେପିର କ୍ୟାମ୍ପେନ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ହ୍ୟାସଟ୍ୟାଗ୍, ମୁଁ ବି ଚୌକିଦାର । ଏହି କ୍ୟାମ୍ପେନକୁ ଲୋକଙ୍କ ଜୋରଦାର ସମର୍ଥନ ମିଳୁଛି । ହେଲେ ବିରୋଧୀଙ୍କ ହ୍ୟାସଟ୍ୟାଗ୍, ମୁଁ ବି ବେରୋଜଗାର କ୍ୟାମ୍ପେନ ବି ଜୋରଦାର ହୋଇଛି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର କ୍ୟାମ୍ପେନ୍ ନା ବିରୋଧୀଙ୍କ ସ୍ଲୋଗାନ୍, କାହାକୁ ମିଳିବ ସଫଳତା ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ରହିଛି ।

ଦେଶର ସୁରକ୍ଷା ପାଇଁ ସଜାଗ ରହିଛନ୍ତି ଚୌକିଦାର । ବିରୋଧୀଙ୍କୁ ମୋଦିଙ୍କ ଚୌକିଦାରୀ ଉପରେ ସନ୍ଦେହ । ସୋସିଆଲ ମିଡିଆରେ ଚୌକିଦାର ବନାମ ବେରୋଜଗାର । ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଟାର୍ଗେଟ୍ କରି ଦେଶର ଚୌକିଦାର ଚୋରୀ କରିଥିବା ଅଭିଯୋଗ ବାଢିଆସୁଥିଲେ ରାହୁଲ ଗାନ୍ଧି । ହେଲେ ବିଜେପି ଅନ୍ଦର ମହଲର ସୂଚନା ଅନୁସାରେ ଲୋକଙ୍କୁ ବିଶେଷ ପ୍ରଭାବିତ କରିପାରିନଥିଲା ଏହି ଚୌକିଦାର ଚୋର ହେ କ୍ୟାମ୍ପେନ ।

ତେଣୁ ରାହୁଲଙ୍କ କ୍ୟାମ୍ପେନରୁ ଖିଅ ଧରି ୨୦୧୯ ପାଇଁ ନୂଆ ସ୍ଲୋଗାନ ସାମ୍ନାକୁ ଆଣିଛି ଭାରତୀୟ ଜନତା ପାର୍ଟି । ହ୍ୟାସ ଟ୍ୟାଗ୍ ମେ ଭି ଚୌକିଦାର କ୍ୟାମ୍ପେନ ଜରିଆରେ ସୋସିଆଲ ମିଡିଆରେ ଜନମତ ସୃଷ୍ଟି କରିବାରେ ଲାଗିପଡିଛି ବିଜେପି । ଯାହାକୁ କାଉଂଟର କରିବା ଲାଗି ବିରୋଧୀ ଆରମ୍ଭ କରିଛନ୍ତି ନୂଆ ରଣନୀତି । ନାଁ ଆଗରେ ଯୋଡିଛନ୍ତି ବେରୋଜଗାର । ଦେଖନ୍ତୁ ମୋଦି ବିରୋଧୀ ଭାବେ ଜଣାଶୁଣା ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲଙ୍କ ଟ୍ୱିଟର ହ୍ୟାଣ୍ଡେଲ । ଅନେକ ଏହାକୁ ସମର୍ଥନ ବି କରୁଛନ୍ତି । ବିଜେପି ନେତାମାନେ ନାଁ ଆଗରେ ଚୌକିଦାର ଲେଖୁଥିବାବେଳେ ବିଜେପି ବିରୋଧୀ ସେମାନଙ୍କ ନାଁ ଆଗରେ ବେରୋଜଗର ଲେଖିବା ଆରମ୍ଭ କରିଦେଇଛନ୍ତି ।

୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ଲାଗି ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ପୁଣି ଥରେ ନିର୍ବାଚନକୁ ଯାଉଥିବାବେଳେ ନିଯୁକ୍ତି କୁଆଡେ ଗଲା ବୋଲି ପ୍ରଶ୍ନ କରୁଛନ୍ତି ଦେଶର ଯୁବବର୍ଗ । ତେଣୁ ହ୍ୟାସଟ୍ୟାଗ୍ ମେ ଭି ବେରୋଜଗାର କ୍ୟାମ୍ପେନକୁ ସମର୍ଥନ ମିଳିବାରେ ଲାଗିଛି । ଆସନ୍ତୁ ନଜର ପକାଇବା ଏସମ୍ପର୍କିତ କିଛି ପ୍ରତିକ୍ରିୟା ଉପରେ ।

ମାୟାବତୀ, ବିଏସପି ସୁପ୍ରିମୋ :

‘ସାଦା ଜୀବନ, ଉଚ୍ଚ ବିଚାରର ବିପରୀତ ରାଜା ଭଳି ଜୀବନ ଜୀଉଁଥିବା ବ୍ୟକ୍ତି ଗତ ନିର୍ବାଚନରେ ଭୋଟ୍ ପାଇଁ ନିଜକୁ ଚା’ ବାଲା ବୋଲି ଦର୍ଶାଇଥିଲେ । ଏବେ ପୁଣି ବଡ ତାମଝାମରେ ନିଜକୁ ଚୌକିଦାର ବୋଲି କହୁଛନ୍ତି । ଦେଶ ପ୍ରକୃତରେ ବଦଳୁଛି?’

ଅଖିଳେଶ ଯାଦବ, ଏସପି ମୁଖ୍ୟ :

‘ବିକାଶ ପଚାରୁଛି, ମନ୍ତ୍ରାଳୟରୁ ଜାହାଜ ଫାଇଲ ଚୋରୀ ହେବା ଲାଗି ଦୋଷୀ ବେପରୁଆ ଚୌକିଦାରକୁ ଦଣ୍ଡ ମିଳିଲା କି ?’

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୋଟିଏ ଶବ୍ଦ ଚୌକିଦାର ଆଖପାଖରେ ଘୁରିବୁଲୁଛି ଦେଶର ସମଗ୍ର ରାଜନୀତି । ବିରୋଧୀଙ୍କ ତମାମ ଆକ୍ରମଣ ଓ ଅଭିଯୋଗ ଭିତରେ ବିଜେପିର ଦାବି ୨୦୧୪ରେ ଚା’ ବାଲା ପରି ୨୦୧୯ରେ ଚୌକିଦାର ବିଜେପିକୁ ଅପୁର୍ବ ସଫଳତା ଦେବ, କାରଣ ସମର୍ଥନ ଭରପୁର ମିଳୁଛି ।