ଘର ଚଳାଉଛି ବୁଢା ବାପା…ବୃଦ୍ଧଙ୍କ ଉପରେ ପରିବାରର ବୋଝ । ସ୍ତ୍ରୀ ଓ ଦୁଇ ଦୁଇଟି ଭେଣ୍ଡିଆ ପୁଅ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ଘର ଚଳାଉଛି ୭୦ ବର୍ଷୀୟ ଗଣେଶ୍ୱର

ସରକାରଙ୍କ ସହାୟତା ପାଇଁ କଲେ ଗୁହାରୀ

324

କନକ ବ୍ୟୁରୋ: ଘରେ ଦୁଇ ଦୁଇଟି ଭେଣ୍ଡିଆ ପୁଅ । ତଥାପି ପରିଣତ ବୟସରେ ଖଟୁଛି ବୃଦ୍ଧ ବାପା । ସ୍ତ୍ରୀ, ୨ ପୁଅ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ୧୦ପ୍ରାଣୀ କୁଟୁମ୍ବର ବୋଝ ଏବେ ୭୦ ବର୍ଷୀୟ ବୁଦ୍ଧ ଗଣେଶ୍ୱର ନାୟକଙ୍କ କାନ୍ଧରେ । ଏ କୌଣସି ଉପାନ୍ତ ଅଂଚଳର କଥା ନୁହେଁ, କଟକ ମୁଖ୍ୟଳାୟଠାରୁ ମାତ୍ର ୨୫ କିଲୋମିଟର ଦୁର, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଦେବିଲ ଗାଁରେ ରହୁଥିବା ଗଣେଶ୍ୱରଙ୍କ ଦୁଃଖ କାହାଣୀ ।

୧୦ଜଣଙ୍କୁ ନେଇ ପରିବାର । ଆଉ ଘର ଚଳାଇବାକୁ ଏକ ମାତ୍ର ଭରସା ବୃଦ୍ଧ ଗଣେଶ୍ୱର । ୭୦ ବର୍ଷୀୟ ବୃଦ୍ଧ ଗଣେଶ୍ୱର ନାୟକଙ୍କ ପରିବାର ଉପରେ ଲଦି ହୋଇ ପଡିଛି ଦୁଃଖର ବାଦଲ । ସ୍ତ୍ରୀ ଓ ଦୁଇ ଦୁଇଟି ଭେଣ୍ଡିଆ ପୁଅଙ୍କୁ ଅଜଣା ରୋଗ ଘାରିବା ପରେ ଏବେ ପରିଣତ ବୟସରେ ବଡ କଷ୍ଟରେ ପରିବାର ଚଳାଉଛନ୍ତି ଗଣେଶ୍ୱର । ନା ମିଳିଛି ବାର୍ଦ୍ଧକ୍ୟ ଭତା, ସା ସ୍ୱାସ୍ଥ୍ୟ ବୀମା । ଏପରିକି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଂଚିତ ଗଣେଶ୍ୱରଙ୍କ ପରିବାର ଦୁଇ ପୁଅ କାହ୍ନୁ ଚରଣ ଓ ବେଣୁ ଚରଣ ଅଜଣା ରୋଗରେ ପଡି ଏବେ ଘରେ ସଜ୍ୟାସାୟୀ । ଆଣ୍ଠୁ-ଗଣ୍ଠି ଦରଜ ହେବା ସହ କାମ କରି ପାରୁ ନଥିବା କହିଛନ୍ତି ଅଜଣା ରୋଗରେ ଆକ୍ରାନ୍ତ କାହ୍ନୁ ଚରଣ ।

ସ୍ତ୍ରୀ, ଦୁଇ ପୁଅ , ବୋହୂ, ନାତି-ନାତୁଣୀଙ୍କୁ ନେଇ ବେଶ ହସଖୁସିରେ ଚଳୁଥିଲା ତାଙ୍କ ସଂସାର । ଗୋଟିଏ ପୁଅ ଦୋକାନ କରିଥିଲା ତ ଆଉ ଗୋଟିଏ ପୁଅ ଘରୋଇ କମ୍ପାନୀରେ କାମ କରୁଥିଲା । ଯୋଡା ଯୋଡା ଭେଣ୍ଡିଆ ପୁଅ । ଭାବିଥିଲେ ଶେଷ ଜୀବନ ହସ ଖୁସିରେ କଟିବ । ହେଲେ ବିଧିର ବିଧାନ, ଏବେ ପରିଣତ ବୟସରେ କାମ କରିବାକୁ ପଡୁଛି ଗଣେଶ୍ୱରଙ୍କୁ । ସରକାରଙ୍କ ତରଫରୁ ମିଳୁଥିବା ରାସନକୁ ବିକ୍ରି ବଟା କରି ରୋଗୀ ସ୍ତ୍ରୀ, ପୁଅଙ୍କ ଚିକିତ୍ସା କରୁଛନ୍ତି ଗଣେଶ୍ୱର । ଏଭଳି ସ୍ଥିତିରେ ଘରେ ଗୋଟିଏ ବେଳା ଚୁଲି ଜଳୁଥିବାବେଳେ, ଆଉ ଗୋଟେ ବେଳା ଉପାସ ରହିବାକୁ ପଡୁଛି ।

ସରକାର ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗଣେଶ୍ୱରରଙ୍କ ପରିବାର ପାଖରେ କୌଣସି ସରକାରୀ ସହୟତା ପହଁଚି ପାରି ନଥିବା ଅଭିଯୋଗ ହୋଇଛି । ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିଲେ ଗଣେଶ୍ୱରଙ୍କୁ ପରିବାର ପ୍ରତିପୋଷଣରେ ଟିକେ ସୁବିଧା ହୋଇ ପାରନ୍ତା ବୋଲି ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।