କରୋନା ଛଡାଇନେଲା ଓଡିଆ କୋରିଓଗ୍ରାଫରଙ୍କ ଜୀବିକା । ବଲିଉଡ ଓ ଓଡିଶାରେ କାମ ବନ୍ଦ ହୋଇଯିବାରୁ ଗଞ୍ଜାମରେ କଲେ ଚା’ ଦୋକାନ

ପରିବାର ଭରଣ ପୋଷଣ ପାଇଁ ବଦଳିଗଲା ଜୀବିକା

419

କନକ ବ୍ୟୁରୋ: ଓଡିଆ ସିନେମା ସୁନ୍ଦରଗଡର ସଲମାନ ଖାନ, ଜଗା ହାତରେ ପଘା, ବିନ୍ଦାସ ଏବଂ ହିନ୍ଦି ସିନେମା ୟେ କେସା ରିସ୍ତା ଏବଂ କମାଣ୍ଡୋ-୨ ସିନେମାରେ କୋରିଆଗ୍ରାଫର ଥିବା ଓଡିଆ ଯୁବକ ଗୁରୁ ସାଓଲିଙ୍ଗ ଏବେ ଚା ବିକ୍ରି କରୁଛନ୍ତି । କରୋନା ଏମିତି ମାଡ ମାରିଛି ଯେ ବଲିଉଡ ଓ ଓଲିଉଡର ରଙ୍ଗିନ ଦୁନିଆ ଛାଡି ପରିବାରର ପେଟ ପୋଷିବା ଚିନ୍ତାରେ ମହାରାଷ୍ଟ୍ରରୁ ଓଡିଶା ଫେରିଆସି ଏବେ ଚା ଦୋକାନ କରିଛନ୍ତି । ଦିନକୁ ଯାହା ଦୁଇ ପଇସା ଲାଭ ହେଉଛି, ସେଥିରେ ପରିବାର ଚଳୁଛି ।

ହଲିଉଡ, ବଲିଉଡ ଏବଂ ଓଲିଉଡ ଗୀତର ତାଳେ ତାଳେ ଚମକ୍ରାର ନାଚୁଛନ୍ତି ଗୁରୁ ସାଓଲିଙ୍ଗ ।ବଲିଉଡ ଏବଂ ଓଡିଉଡରେ ଏକ ପରିଚିତ ନାଁ । ହିନ୍ଦି ଓ ଓଡିଆ ସିନେମା ତଥା ଯାତ୍ରା ଜଗତରେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ନିଜ ଇସାରାରେ ନଚାଇଛନ୍ତି । କରୋନା ସଂକ୍ରମଣ ଭିତରେ ଜୀବନ ଜୀବିକାର ଲଢେଇରେ ଏବେ ବଦଳିଛି ଗୁରୁ ସାଓଲିଙ୍ଗଙ୍କ ଠିକଣା । ମହାରାଷ୍ଟ୍ର ନୁହେଁ ଓଡିଶାର ଗଞ୍ଜାମ ଜିଲ୍ଲାରେ ଥିବା ଏହି ମାଟିହାଣ୍ଡି ଚା ଦୋକାନ ହେଉଛି ତାଙ୍କର ନୂଆ ଠିକଣା । କରୋନା ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ରରେ ସିନେମା ସୁଟିଂ ନ ହୋଇପାରିବା କାରଣରୁ କାମଧନ୍ଦା ନପାଇ ଏବେ ଓଡିଶା ଫେରିଛନ୍ତି ସାଓଲିଙ୍ଗ । ମାଟିକୁଡିଆ ଘରେ ଚା ବିକ୍ରି କରୁଛନ୍ତି ସେ । ପେଟ ପୋଡିଗଲା ବେଳେ ଆପଣେଇବାକୁ ପଡିଛି ଏହି ପେଷା ।

୧୦ ଟଙ୍କିଆ, ୨୦ଟଙ୍କିଆ, ୩୦ଟଙ୍କିଆ, ୪୦ଟଙ୍କିଆ, ୭୫ଟଙ୍କିଆ ଏପରିକି ୨୦୦ ଟଙ୍କିଆ ରାବିଡି ଚାଁ ବିକ୍ରି କରି ଦିନକୁ ୨୦୦ରୁ ୩୦୦ ଟଙ୍କା ଲାଭ କରୁଛନ୍ତି । ମୂଳ ଜୀବିକା ସିନା ପଳେଇଛି, ହେଲେ ଜୀବନ ସଂଘର୍ଷର ଏ ଲଢେଇରେ ସେ ହାର ମାନିନାହାନ୍ତି । ସତରେ ମଣିଷର ପରିସ୍ଥିତି କେତେବେଳେ ତାକୁ କେଉଁ ମୋଡକୁ ନେଇଆସେ ତାହା କହିବା ମୁସକିଲ । ହଲିଉଡ ଗୀତରେ ହାତ ଓ ପାଦ ଚାଳନା କରୁଥିବା ଏହି ଯୁବକ ହୁଏତ କେବେ ବି କଳ୍ପନା କରିନଥିଲେ ଯେ ତାଙ୍କୁ ଏପରି ସ୍ଥିତିର ସାମନା କରିବାକୁ ପଡିବ ।