ଉଦଯାପିତ ହେଲା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତା ! କିଟ୍ ଛାତ୍ରୀ କସ୍ତୁରୀ ଦାସ ହେଲେ ଚକଲେଟ ଅଲରାଉଣ୍ଡର୍ ।

126

ନୃତ୍ୟ, ସଙ୍ଗୀତ, କମେଡି, ମିମିକ୍ରି ଓ ଗପ କୁହାର ଏକ ଜବରଦସ୍ତ ପ୍ରତିଯୋଗିତା ଚାଲିଥିଲା ହାଇଟେକ ମେଡିକାଲ କଲେଜ ପରିସରରେ । କେବେ ବିଦେଶୀ ନୃତ୍ୟର ଫ୍ୟୁଜନ ପୁଣି ଶାସ୍ତ୍ରୀୟ ସଙ୍ଗୀତର ତାଳେ ତାଳେ ନିଜକୁ ଅନ୍ୟଠୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ୨୪ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଚାଲିଥିଲା କଡା ଟକ୍କର । ଅବସର ଥିଲା ଓଡିଶାର ନମ୍ବର-୧ ଘରୋଇ ଏଫଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ୧୦୪ ପକ୍ଷରୁ ଆୟୋଜିତ ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ।

ଏହି ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗିମାନଙ୍କ ମଧ୍ୟରୁ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ କସ୍ତୁରୀ ଦାସ “ଭୁଲ ଭୁଲେୟାଁ” ଚଳଚିତ୍ରର ମେରେ ଢୋଲନା ଶୁନ୍… ଗୀତ ଗାଇ ବାଜି ମାରିନେଇଛନ୍ତି । ନିଜ ସ୍ୱରର ଲାଳିତ୍ୟରେ ଶ୍ରୋତା ତଥା ବିଚାରକଙ୍କୁ ମଧ୍ୟ ମନ୍ତ୍ରମୁଗ୍ଧ କରିଦେଇଛନ୍ତି । ଏଥିସହିତ ଏନଏମଏସ ସିଟି କଲେଜ, କଟକର ଛାତ୍ର ସମୀର ଶେଖର ସିଂହ ନୃତ୍ୟ ପରିବେଷଣ କରି ପ୍ରଥମ ରନର୍ସଅପ ଓ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶ୍ୱେତା ଚକ୍ରବର୍ତ୍ତୀ ଏକକ ଅଭିନୟ କରି ଦ୍ୱିତୀୟ ରନର୍ସଅପ ହୋଇଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଶ୍ରା ପାଣିଗ୍ରାହୀ ଏହି ଅବସରରେ କହିଲେ, ବର୍ତମାନ ଛାତ୍ରଛାତ୍ରୀ ମାନେ ପାଠ ପଢା ଚାପରେ ଏଭଳି ଚାପି ହୋଇଯାଇଛନ୍ତି ଯେ ଜୀବନକୁ ଜୀବନ ଭଳି ବଞ୍ଚିବା ଭୁଲିଗଲେଣି । ଏଭଳି ପରିସ୍ଥିତିରେ କଳା ଓ ପ୍ରତିଭାକୁ ନେଇ ଆୟୋଜିତ ପ୍ରତିଯୋଗିତା ଗୁଡିକ ସେମାନଙ୍କୁ ଜୀବନର ମଜା ଉଠାଇବା ସିଖାଇବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ଓଲିଉଡ କୋରିୟଗ୍ରାଫର ବାବୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।