କାଲିମେଳା ଏସଏଚଜି ମହିଳାଙ୍କ ଉଦ୍ୟମ: ଚକୋଲେଟ ପ୍ରସ୍ତୁତି ଯୋଗାଇଛି ରୋଜଗାର

57

କନକ ବ୍ୟୁରୋ: ଲକଡ଼ାଉନ ସମୟରେ କରୋନା ମହାମାରୀ ଅନେକ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ କାଲିମେଳାର କିଛି ମହିଳାମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କିଛି ରୋଜଗାର କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ମହିଳାମାନେ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଚକୋଲେଟ ତିଆରି କାମ କରି ବେଶ ଦି ପଇସା ରୋଜଗାର କରିବା ସହିତ ନିଜ ପରିବାର ମଧ୍ୟ ପ୍ରତିପୋଷଣ କରିପାରିଥିବାର ଜଣାପଡ଼ିଛି । ଏମିତି ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛି କାଲିମେଳା ଫାର୍କ କଲୋନୀ ଗ୍ରାମର ମା ଗାୟତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ ।

ଚାଲିଛି ଚକଲେଟ୍ ପ୍ରସ୍ତୁତି । ବିଭିନ୍ନ ଆକାରର ଏବଂ ସ୍ୱାଦର ଚକଲେଟ୍ ପ୍ରସ୍ତୁତ କରୁଛନ୍ତି ଏମାନେ । ଆଉ ବଜାରରେ ବିକ୍ରି ପରେ ଏହାର ଚାହିଦା ବି ବଢୁଛି । ମାଲକାନଗିରି ଜିଲ୍ଲା ଉପାନ୍ତ କାଲିମେଳା ବ୍ଲକର ଫାର୍ମ କଲୋନୀର । ମା ଗାୟତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଏହି ସଦସ୍ୟା ପ୍ରସ୍ତୁତ କରୁଛନ୍ତି ଏଭଳି ଚକଲେଟ୍ । ତେବେ ଏସଏଚଜିର ୧୦ଜଣ ସଦସ୍ୟା କରୋନା ମହାମାରୀ ସମୟରେ ଓଡ଼ିଶା ଜୀବିକା ମିଶନ ତରଫରୁ ଚକୋଲେଟ ପ୍ରସ୍ତୁତି କରିବା ସଂପର୍କରେ ତାଲିମ ନେଇଥିଲେ । କାଲିମେଳା ବ୍ଲକର ମୋଟ ୨୧ଜଣ ମହିଳା ସଦସ୍ୟାଙ୍କୁ ଏହା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

ଆଉ ମା ଗାୟତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଚୟନ କରାଯାଇ ଓଡ଼ିଶା ଜୀବିକା ମିଶନ ତରଫରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରାଯାଇଥିଲା । ଏହାପରେ ସଦସ୍ୟାମାନେ କଂଚା ମାଲ କିଣି ସେଥିରୁ ବିଭିନ୍ନ ପ୍ରକାରର ଚକୋଲେଟ ପ୍ରସ୍ତୁତ କରି ବଜାରରେ ବିକ୍ରୀ କରି ବେଶ ଦି ପଇସା ଲାଭବାନ ହୋଇଥିଲେ । ଖୁସିର କଥା ଋଣ ଟଙ୍କା ପରିଶୋଧ କରିଦେଲା ପରେ ମଧ୍ୟ ସେମାନେ ମିଳିଥିବା ଲାଭାଂଶରେ ଏବେ ବି ଚକୋଲେଟ ପ୍ରସ୍ତୁତି ଜାରି ରଖିଛନ୍ତି । ସ୍ଥାନୀୟ ବଜାର ସହିତ ବିବାହ, ଜନ୍ମଦିନ ପାଇଁ ଆସୁଥିବା ଅର୍ଡ଼ର ଅନୁସାରେ ଚକୋଲେଟ ପ୍ରସ୍ତୁତ କରି ମଧ୍ୟ ଏହି ଗୋଷ୍ଠୀ ଯୋଗାଇ ଦେଉଥିବାର ଜଣାପଡ଼ିଛି ।

ମା ଗାୟୀତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯେଉଁ ନିଜସ୍ୱ ଉଦ୍ୟମରେ ଚକୋଲେଟ ତିଆରି କରି ବଜାରରେ ବିକ୍ରୀ କରୁଛନ୍ତି ତାହା ପ୍ରଶାସନ ଦ୍ୱାରା ବେଶ ପ୍ରଶଂସନୀୟ ହୋଇପାରିଛି । ମାତ୍ର ଆକର୍ଷଣୀୟ ପ୍ୟାକିଂ ସୁବିଧା ନ ଥିବାରୁ ଲୋକଙ୍କ ଚାହିଦା ଯେତିକି ରହିବା କଥା ସେତିକି ହୋଇପାରୁନାହିଁ ବୋଲି ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି । ଅନ୍ୟପକ୍ଷରେ ମାର୍କେଟିଂ କିମ୍ବା ଆକର୍ଷଣୀୟ ପ୍ୟାକେଜିଙ୍ଗ ପାଇଁ ଅର୍ଥ କିମ୍ବା ଅଧିକା ତାଲିମ ବ୍ୟବସ୍ଥା ଯଦି ଆବଶ୍ୟକ ତେବେ ଓଡ଼ିଶା ଜୀବିକା ମିଶନ ତରଫରୁ ଯୋଗାଇ ଦିଆଯିବ ବୋଲି ଓଡ଼ିଶା ଜୀବିକା ମିଶନର କୌଶଳ ବିକାଶ ସଂଯୋଜକ ପ୍ରକାଶ କରିଛନ୍ତି ।

ସରକାରୀ ସ୍ତରରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ବଜାର ସୁବିଧା ସାଙ୍ଗକୁ ଆନୁସଙ୍ଗିକ ସୁବିଧା ଓ ଅଧିକ ତାଲିମ ଦିଆଗଲେ ସେମାନେ ଆଗାମୀ ଦିନରେ ଆହୁରି ଅଧିକ ବ୍ୟବସାୟ କରିବା ନେଇ ବେଶ୍ ଆଶାବାଦୀ ଅଛନ୍ତି ।