କନକ ବ୍ୟୁରୋ : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲା ଆହୁରି ରହସ୍ୟମୟ ହୋଇପଡିଛି । ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଏହି ସନ୍ଦେହକୁ ବଢାଇ ଦେଇଛି । ଅନ୍ୟପଟେ ସନ୍ଦେହରେ ଥିବା ତିନି ଜଣଙ୍କର ଆଜି ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ମିଛ ଧରା ପରୀକ୍ଷାରୁ ଚିତରଞ୍ଜନଙ୍କ ମୃତ୍ୟୁର ସତ ପଦାକୁ ଆସିବ ବୋଲି କୁହାଯାଉଛି ।
ଆସିଲା ଚିତ୍ତରଞ୍ଜନଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ । ‘ଦୁର୍ଘଟଣା ପରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ସୂଚନା’ । ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ପଲେଇଙ୍କ ମୃତ୍ୟୁର ସପ୍ତାହ ପରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ଦୁର୍ଘଟଣା ପରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ଦେଇଛନ୍ତି ପୁରୀ ସିଡିଏମଓ । ତେବେ ଭିସେରା ରିପୋର୍ଟରୁ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ସିଡିଏମଓ କହିଛନ୍ତି ।
ଶବ ବ୍ୟବଚ୍ଛେଦ ରିପୋର୍ଟରେ କଣ ଅଛି ତାହା ସମ୍ପୂର୍ଣ୍ଣ ଭାବେ ସାମନାକୁ ଆସିନଥିଲେ ବି ସିଡିଏମଓଙ୍କ ସୂଚନା ସନ୍ଦେହ ସୃଷ୍ଟି କରିଛି । କାରଣ ଯେଉଁଠି ଦୁର୍ଘଟଣା ହୋଇଥିଲା ବୋଲି କୁହାଯାଉଛି, ସେଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ମିଳିଥିଲା ଚିତଙ୍କର ମୃତ ଦେହ । ପ୍ରଶ୍ନ ଉଠୁଛି, ଯଦି ଦୁର୍ଘଟଣା ପରେ ପାଣିରେ ବୁଡି ମୃତ୍ୟୁ ହୋଇଥିଲା, ତେବେ ଦୁର୍ଘଟଣାସ୍ଥଳରୁ ଏତେ ବାଟ କିପରି ଗଲେ ଚିତରଞ୍ଜନ ।
ଉଦ୍ଧାର ହୋଇଥିବା ଚିତରଞ୍ଜନଙ୍କ ମୃତ ଦେହରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେ ନେଇ ଶବ ବ୍ୟବଛେଦ ରିପୋର୍ଟରେ କଣ ରହିଛି ସିଡିଏମଓ ସୂଚନା ଦେଇନାହାନ୍ତି । ଯାହାକି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଆଉ ଚିତ୍ତରଞ୍ଜନଙ୍କ ମୃତ୍ୟୁ ପଛରେ କାହାର ସମ୍ପୃକ୍ତି ଅଛି, ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ସନ୍ଦେହରେ ଥିବା ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ତିନି ଜଣଙ୍କୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ଆଣି ସତ ବାହାର କରିବା ପାଇଁ ମିଛ ଧରା ମେସିନରେ ସହାୟତା ନେଇଛି ତଦନ୍ତକାରୀ ଟିମ୍ । ଏବେ ଅପେକ୍ଷା କେବେ ଚିତରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ ।