୨୦ କିମି ପାହାଡି ରାସ୍ତା ଚାଲିଲେ ମିଳିବ ଚାଉଳ । ଗାଁ ଗୋଟିଏ ପଞ୍ଚାୟତରେ, ପିଡିଏସ ସାମଗ୍ରୀ ମିଳୁଛି ଆଉ ଗୋଟିଏ ପଞ୍ଚାୟତରେ, ଚାଉଳ ଆଣିବାକୁ ହଇରାଣ ହେଉଛନ୍ତି ଲୋକେ ।

178

କନକ ବ୍ୟୁରୋ : ଭାଗ ହୋଇଛି ପଞ୍ଚାୟତ କିନ୍ତୁ ଭାଗ ହୋଇପାରିନାହିଁ ପିଡିଏସ ସାମଗ୍ରୀ । ତେଣୁ ପିଡିଏସ ପାଇଁ ଯିବାକୁ ପଡୁଛି ଗୋଟିଏ ପଞ୍ଚାୟତରୁ ଆଉ ଗୋଟିଏ ପଞ୍ଚାୟତ । ଏମିତି ଖବର ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତ ଧୂଳିପୁଟ ଗାଁରୁ । ଚାଉଳ ପାଇଁ ଲୋକେ ବ୍ୟାଗ ମୁଣ୍ଡାଇ ପାହାଡି ରାସ୍ତା, ନଦୀ ନାଳ ପାରି ହୋଇ ବଡପୋଡା ପଞ୍ଚାୟତର ହାଟଗୁଡାକୁ ଯାଉଛନ୍ତି । ସେଠାରୁ ଚାଉଳ ଆଣି କିଏ ଅଟୋରେ ତ କିଏ ଘୋଡାରେ ଘରକୁ ଫେରୁଛନ୍ତି । ପ୍ରତି ମାସରେ ଚାଉଳ କିଲେ ପାଇଁ ଟଙ୍କାଟିଏ ଦେଉଥିବା ବେଳେ ତାକୁ ଘରକୁ ଆଣିବା ପାଇଁ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି ହିତାଧିକାରୀ ।

ପୂର୍ବରୁ ଧୂଳପୁର ଗାଁଟି ରାଲେଗାଡା ପଞ୍ଚାୟତରେ ରହିଥିଲା । କିନ୍ତୁ ୨୦୧୭ରୁ ଏହି ଗାଁକୁ ଭାଗ କରି ଧୂଳିପୁଟ ନୂଆ ପଞ୍ଚାୟତ ଭାବେ ଗଠନ ହେଲା । ଧୂଳିପୁଟ ପଞ୍ଚାୟତରେ ୨୫ଟି ଗାଁ ରହିଛି । ଲୁହାରାମ, ଦାନଣ୍ଡାଲଗନ୍ଧୀ, ଧାକୋଡପାଲି, ଚିକପଣସ, ଲିମାତାଙ୍ଗ ଭଳି ଅନେକ ଗାଁ । ଏହାରି ଭିତରେ ଧୁଳିପୂଟ ପଞ୍ଚାୟତ ଗଠନକୁ ୪ ବର୍ଷ ହେଲାଣି, କିନ୍ତୁ ଏଯାଏଁ ପିଡିଏସ ଚାଉଳ ରାଲେଗାଡାରୁ ଧୂଳିପୁଟ ପଞ୍ଚାୟତକୁ ଆସି ପାରିନାହିଁ । ତେଣୁ ଚାଉଳ ପାଇଁ ରାଲେଗାଡା ପଞ୍ଚାୟତ ଉପରେ ନିର୍ଭର କରୁଛନ୍ତି ହିତାଧିକାରୀ । ରାଲେଗାଡା ପଂଚାୟତ ଅଧିକାରୀ, ପିଡିଏସ ସାମଗ୍ରୀ ବଡପୋଡା ପଂଚାୟତର ହାଟଗୁଡାକୁ ଆଣି ହିତାଧିକାରୀଙ୍କୁ ବଣ୍ଟନ କରୁଛନ୍ତି ।

ଧୂଳିପୁଟ ପଞ୍ଚାୟତକୁ ଯିବା ପାଇଁ ରାସ୍ତା ଖରାପ ରହିଛି । ଯେଉଁ ଗାଡି ଚାଉଳ ଆଣୁଛି, ସେହି ଗାଡି ଯଦି ଧୂଳିପୁଟ ପଞ୍ଚାୟତକୁ ଯାଏ ତେବେ ସେଥିପାଇଁ ଅଧିକ ୧୮୦ ଟଙ୍କା ଦେବାକୁ ପଡୁଛି । ଏହି ଟଙ୍କା ସରକାର ବହନ କରୁନଥିବାରୁ ବଡପୋଡା ପଞ୍ଚାୟତର ହାଟଗୁଡାରେ ଚାଉଳ ବଣ୍ଟନ କରାଯାଉଥିବା ରାଲେଗାଡା ପଂଚାୟତ ସେଲ୍ସମ୍ୟାନ୍ କହିଛନ୍ତି । ଗୁରୁପ୍ରିୟା ସେତୁ ହେବା ପରେ ସ୍ୱାଭିମାନ ଅଞ୍ଚଳରେ ବିକାଶ ହେଉଛି ସତ, କିନ୍ତୁ ଏବେ ବି ଅନେକ ଅପହଞ୍ଚ ଅଞ୍ଚଳ ରହିଛି, ଯେଉଁଠି ପହଞ୍ଚି ପାରିନାହିଁ ସରକାରୀ ଯୋଜାନା ।