ଦୁନିଆ ଦେଖିବାକୁ ଇଛା ହେଲେ…ଚିତ୍ରକୋଣ୍ଡାର ଦୃଷ୍ଟିହୀନ ପରିବାରର ଚିତ୍କାର! ପରିବାରର ୫ ପିଲା ଆଖି ଖୋଲିଲେ ବି ଦେଖିପାରୁନାହାନ୍ତି ଦୁନିଆ । ଚିକିତ୍ସା ବାଟରେ ଦାଉ ସାଜିଛି ଦାରିଦ୍ର୍ୟ, ମିଳିପାରୁନି ଭିନ୍ନକ୍ଷମ ଭତ୍ତା ।

360

କନକ ବ୍ୟୁରୋ: ମାଲକାନଗିରିରୁ ଆସିଲା ହୃଦୟ ବିଦାରକ ଘଟଣା । ଯାହାକୁ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ପରିବାରର ୫ଟି ଶିଶୁ ଆଖି ଖୋଲିଲେ ମଧ୍ୟ ଦୁନିଆ ଦେଖିପାରୁନାହାନ୍ତି । ଏହାକୁ ଆପଣ ବିଧିର ବିଧାନ କୁହନ୍ତୁ ଅବା ଅଭିଶପ୍ତ ପରିବାର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଜାମଜୋଡୀ ଗାଁରେ ରହୁଛନ୍ତି ଏହି ପରିବାର ।

ଭୀମ ଖୀଲ ଏବଂ ରାଧା ଖୀଲ ୧୫ବର୍ଷ ତଳେ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ଏକ ଝିଅ ଜନ୍ମ ହୋଇଥିଲା । କିନ୍ତୁ ଝିଅଟି ଜନ୍ମରୁ ଦୃଷ୍ଟିହୀନ ଥିଲା । ଏହାପରେ ପରେ ଜନ୍ମ ହୋଇଥିବା ସମସ୍ତ ସନ୍ତାନ ଦୃଷ୍ଟିହୀନ । ମୋଟ ୩ଟି ଝିଅ ଏବଂ ଦୁଇଟି ପୁଅ ସମସ୍ତେ ଭିନ୍ନକ୍ଷମ । ବାପାମା କିନ୍ତୁ ଏମାନଙ୍କର ଚିକିତ୍ସା କରିବାକୁ ସକ୍ଷମ ନୁହନ୍ତି । ଏହି ୫ ଭିନ୍ନକ୍ଷମଙ୍କ ଭରଣପୋଷଣ ଏବେ ବାପାମାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏନେଇ ସରକାରଙ୍କୁ ଅନୁରୋଧ କରାଯାଇଛି । ହେଲେ ଏଯାଏଁ କୌଣସି ସରକାରୀ ସହାୟତା ମିଳିପାରିନାହିଁ ।

ସେପଟେ ଏମାନେ କିଭଳି ବଂଚିବେ ପାଇଁ ବାପା ମା ସଂଗ୍ରାମ ଜାରି ରଖିଛନ୍ତି । ବାପା ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ଚଳେ ପୁରା ପରିବାର । ଅଭାବ ଅନଟନ ଭିତରେ ପରିବାର ଚାଲୁଛି । ବିଡମ୍ବନାର ବିଷୟ ହେଲା, କୌଣସି ସରକାରୀ ଯୋଜନା ଏମାନଙ୍କ ପାଖରେ ପହଂଚିନଥିବା ଅଭିଯୋଗ ହୋଇଛି । ନା ଭିନ୍ନକ୍ଷମ ଭତା ମିଳୁଛି ନା ଚିକିତ୍ସା ସୁବିଧା । ଏହି ୫ ଭିନ୍ନକ୍ଷମ ପିଲାଙ୍କୁ ନେଇ ବଡ ଅସୁବିଧା ଭିତରେ ସମୟ କାଟୁଛନ୍ତି ପରିବାର ।