ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଆରଏସି ୧୫ ଗାଁର ଚିତ୍ର : ପାଣି ପାଇଁ ରାତି ଅଧରୁ ମହିଳାଙ୍କ ଲମ୍ବା ଲାଇନ୍; ତଥାପି ମେଂଟୁନି ଶୋଷ

47

କନକ ବ୍ୟୁରୋ : ପାଣି ପାଇଁ ରାତି ଅଧରୁ ମହିଳାଙ୍କ ଲମ୍ବା ଲାଇନ୍ । ତଥାପି ଶୋଷ ମେଂଟୁନି । ଗାଁ ଠାରୁ ଦୂରକୁ ଯାଇ ନାଳ ପାଣି ସଂଗ୍ରହ କରିବାକୁ ପଡୁଛି । କିଟ୍ ମିଟ୍ ଅନ୍ଧାର ରାତି । ଘନ ଅନ୍ଧାର ଭିତରେ ମହିଳାଙ୍କ ଧାଡି । ପାଖରେ ଖାଲି ଗରା । ପାଣି ପାଇଁ ଧାଡିରେ ଠିଆ ହୋଇଛନ୍ତି ଆଦିବାସୀ ମହିଳା । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆରଏସି ୧୫ ଗାଁର । ଦିନେ କି ଦୁଇ ଦିନ ନୁହେଁ ସବୁ ଦିନ ପାଣି ପାଇଁ ରାତିରୁ ଦିନ ଯାଏ ନଳକୂଅ ପାଖରେ ଧାଡି ଲମ୍ବେ ।

ହେଲେ ସବୁ ଗ୍ରାମବାସୀଙ୍କୁ ନଳକୂଅରୁ ପାଣି ମିଳେ ନାହିଁ । ଗାଁରେ ଥିବା ଏକମାତ୍ର ନଳକୂଅରୁ ଏତେ କମ୍ ପାଣି ବାହାରୁଛି ଯେ, ଗୋଟିଏ ବାଲ୍ଟି ପାଣି ପାଇଁ ଘଂଟା ଘଂଟା ଧରି କସରତ କରିବାକୁ ପଡୁଛି । ଅନେକ ସମୟରେ ନଳକୂଅ ପାଣି ମିଳେ ନାହିଁ । ତେଣୁ ଗାଁ ଠାରୁ ଦୂରରେ ଥିବା ଚୂଆରୁ ଗୋଳିଆ ପାଣି ସଂଗ୍ରହ କରିଥାନ୍ତି ଆରଏସି ୧୫ ଗାଁର ମହିଳାମାନେ । ପିଲାଛୁଆ ପାଣି ଗରା ମୁଣ୍ଡାଇ ଚାଲିବାର ଏହି ଦୃଶ୍ୟ ଜଳଭାବର କରୁଣ କାହାଣୀ ବୟାନ କରୁଛି ।