କେବେ ସରିବ ଶୌଚାଳୟ ନିର୍ମାଣ ? ପାଇଖାନା ଦୁର୍ନୀତି ପଦାକୁ ଆସିବାର ବର୍ଷ ପରେ ବି ହୋଇନି ମରାମତି । 

65

କନକ ବ୍ୟୁରୋ : ପାଇଖାନା ନିର୍ମାଣରେ ଦୁର୍ନୀତି । ଏ ଦୁର୍ନୀତି ପୁଣି ସେଇ ଚର୍ଚ୍ଚିତ ସ୍ୱାଭିମାନ ଅଞ୍ଚଳରେ । ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ କିଭଳି ଠକେଇ ହୋଇଛି, ତାର ବାସ୍ତବ ଚିତ୍ର ପ୍ରାୟ ବର୍ଷେ ତଳେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲା । କିନ୍ତୁ ତାହା କେବଳ ଲୋକ ଦେଖାଣିଆ । ତତ୍କାଳୀନ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିଲା । ହେଲେ ଆଜି ଯାଏଁ ଦୁର୍ନୀତିର ଶିକାର ହୋଇଥିବା ସ୍ୱାଭିମାନୀ ମଣିଷଙ୍କ ପାଇଁ ପାଇଖାନାଟିଏ ନିର୍ମାଣ ହୋଇ ପାରିନାହିଁ । ଏବେ ବି ଲୋକେ ଶୌଚ ପାଇଁ ବାହାରକୁ ଯାଉଛନ୍ତି ।

ପ୍ରାୟ ବର୍ଷେ ତଳେ ସାମ୍ନାକୁ ଆସିଥିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାଇଖାନା ଦୁର୍ନୀତି ଘଟଣା । ସ୍ୱଚ୍ଛ ଭାରତ ମିଶନରେ ତିଆରି ହୋଇଥିବା ପାଇଖାନା ଦୁର୍ନୀତି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଆକ୍ସନ ମୋଡକୁ ଆସିଥିଲା ମାଲକାନଗିରି ପ୍ରଶାସନ । ଚିତ୍ରକୋଣ୍ଡାର ତତ୍କାଳୀନ ବିଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା । ବାସ ତା’ପରେ ଶିଥିଳ ପଡିଯାଇଛି ସେହି ଦୁର୍ନୀତି । ଆଜି ବି ପାଇଖାନାର ମରାମତି ହୋଇନାହିଁ । ହାତଗଣତି କେତୋଟି ପାଇଖାନା ମରାମତି କରି କାମ ବନ୍ଦ କରିଦେଇଛି ପ୍ରଶାସନ ।

ପାଇଖାନା ମରାମତି ହୋଇନଥିବାରୁ ସ୍ୱାଭିମାନ ଅଞ୍ଚଳର ଲୋକେ ଏବେ ବି ବାହାରେ ଶୌଚ ହେଉଛନ୍ତି । ପାଇଖାନା ନିର୍ମାଣ ପାଇଁ ଆସିଥିବା ଟିଣ ଓ ଅନ୍ୟାନ୍ୟ ସାମଗ୍ରୀ କାହା ଘର କାନ୍ଥରେ ତ କାହା ବାଡିରେ ପଡି ରହିଛି । ଅନେକ ସ୍ଥାନରେ ପାଇଖାନାର ଚିହ୍ନବର୍ଣ୍ଣ ନାହିଁ । ଆଉ ଯେଉଁଠି ପାଇଖାନା ଘର ଅଛି, ସେଠି ଫ୍ୟାନ ନାହିଁ କି ଟାଙ୍କି ନାହିଁ । କିନ୍ତୁ ଶୌଚାଳୟ ନିର୍ମାଣ ବାବଦକୁ ଆସିଥିବା ଅର୍ଥ ଉଠି ସାରିଛି । ପୁଣି ଥରେ ପାଇଖାନା କରାଇବା ନେଇ ଲୋକେ ବିଡିଓଙ୍କ ନିକଟରେ ଦାବି କରିଛନ୍ତି ।