ପଥର ଭାଙ୍ଗିଲେ ପୂରିବ ପେଟ: ପହଞ୍ଚିପାରନି ସରକାରୀ ଯୋଜନା; ପରିବାର ମୁହଁରେ ଆହାର ଦେବାକୁ ପଥର ଭାଙ୍ଗୁଛନ୍ତି ଚିତ୍ରକୋଣ୍ଡା ପରଜାଗୁଡ଼ା ଗାଁର ଆଦିବାସୀ ମଣିଷ

192

କନକ ବ୍ୟୁରୋ: ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା । ହେଲେ ପରଜାଗୁଡ଼ା ଗାଁରେ ପହଂଚି ପାରିନି ସରକାରଙ୍କ ଗୋଟେ ବି ଯୋଜନା । ୨୦ରୁ ଅଧିକ ପରିବାର ଏବେବି ସରକାରଙ୍କ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ପଥର ଭାଙ୍ଗି ପରିବାର ପ୍ରତିପୋଷଣ କରୁଛନ୍ତି । ଏମାନଙ୍କ ପାଖରେ ନା ଅଛି ରହିବା ପାଇଁ ଘର ନା ରୋଜଗାରର ମାଧ୍ୟମ ।

 

ପଥର ଭଙ୍ଗାରେ ବ୍ୟସ୍ତ ଏମାନେ । କାରଣ ପଥର ଭାଙ୍ଗିଲେ ପେଟକୁ ମିଳୁଛି ଦାନା । ଦୁଇ ମୁଠା ଦାନା ପାଇଁ ଖରା, ବର୍ଷା, ଶୀତ କାକରକୁ ଏକ କରି ପଥର ଭାଙ୍ଗିଥାନ୍ତି । ଦିନେ ପଥର ନଭାଙ୍ଗିଲେ ପେଟରେ ଓଦା କନା ପଡ଼େ । ମାଲାକାନାଗିରି ଚିତ୍ରକୋଣ୍ଡାର ଉପାନ୍ତ ଅଂଚଳରେ ଥିବା ପରଜାଗୁଡ଼ା ଗାଁର ୨୦ରୁ ଅଧିକ ଆଦିବାସୀ ପରିବାର ଏହି ପଥର ଭଙ୍ଗା କାମକୁ ଆପଣେଇ ନେଇଛନ୍ତି । ଦିନ ରାତି ପଥର ଭାଙ୍ଗି ଠିକାଦାରଙ୍କୁ ବିକ୍ରି କରନ୍ତି । ଯାହା ଅର୍ଥ ମିଳେ ସେଥିରେ ହୁଏ ପରିବାର ପ୍ରତିପୋଷଣ । ନଦୀ ପଠାରୁ ବଡ଼ ବଡ଼ ପଥର ଖଣ୍ଡ ସଂଗ୍ରହ କରନ୍ତି । ଆଉ ଏହି ପଥରକୁ ଭାଙ୍ଗି ଚିପ୍ସ, ମେଟାଲ,ଆଦି ପ୍ରସ୍ତୁତ କରନ୍ତି । ଏହି କଷ୍ଟକୁ ଝୁଡ଼ି ପିଛା ୩୦ରୁ ୪୦ଟଙ୍କାରେ ବିକ୍ରି କରି ପରିବାର ପୋଷନ୍ତି । ଦିନ ପିଛା ଗୋଟିଏ ପରିବାରରୁ ୮ରୁ ୧୦ ଝୁଡ଼ି ମେଟାଲ, ଚିପ୍ସ ପ୍ରସ୍ତୁତ ହୁଏ ।

ବର୍ଷ ବର୍ଷ ଧରି ସରକାରଙ୍କ ସମସ୍ତ ଯୋଜନାରୁ ଏମାନେ ହେଉଛନ୍ତି ବଂଚିତ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । କୁଡ଼ିଆ ଘରେ ଦିନ ବିତୁଛି । ବିଜୁ ପକ୍କାଘର, ରାସନ କାର୍ଡ଼, ଭତା ପଇସା, ରାସ୍ତା ପାନୀୟ ଜଳ ଭଳି ମୌଳି କ ସୁବିଧା ଏମାନଙ୍କ ପାଇଁ ବାଟମଣା । ଅନେକ ଥର ଏନେଇ ପ୍ରଶାସନର ଦୃଷ୍ଟି ଆକ୍ରଶଣ କରିଛନ୍ତି । ହେଲେ କୌଣସି ସୁଫଳ ମିଳିନି । ଏ ବାବଦରେ ଚିତ୍ରକୋଣ୍ଡା ବିଡ଼ିଓଙ୍କ ଦୃଷ୍ଟି ଆକ୍ରସଣ କରାଯାଇଥିଲା । ହେଲେ ତାଙ୍କ ପାଖରେ ଏନେଇ କୌଣସି ଖବର ନାହିଁ ଏବଂ କ୍ୟାମେରା ସାମ୍ନାରେ କିଛି କହିବାକୁ ସିଧାସିଧା ମନା କରି ଦେଇଥିଲେ ।

ସରକାରଙ୍କ ମୌଳିକ ସୁବିଧା ତାଙ୍କ ପାଖରେ ପହଂଚିପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ୨୦ଟି ପରିବାର ।