କନକ ବ୍ୟୁରୋ : ଡଙ୍ଗାରେ ନଦୀ ପାରି ପାଇଁ ଦଉଡ଼ି ଭରସା । ଚିତ୍ରକୋଣ୍ଡା ସିଲେରୁ ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା । ଦୋରାଘାଟର ଦୃଶ୍ୟ ଦେଖିଲେ ଭୟ ଲାଗୁଛି । ତିନି ମାସ ହେଲା ଦୋରାଗୁଢ଼ା ଓ ନୁଆଗୁଢ଼ା ପଂଚାୟତବାସୀଙ୍କ ମାଛ ଧରା ଡ଼ଙ୍ଗା ଭରସାରେ ନଦୀ ପାରି ହେଉଛନ୍ତି । ଡ଼ଙ୍ଗା କାତରେ ଚାଲୁନି ବରଂ ନଦୀର ଦୁଇ ପଟେ ବନ୍ଧା ଯାଇଥିବା ପ୍ଲାଷ୍ଟିକ ଦଉଡି଼କୁ ଟାଣି ଟାଣି ପାରି ହେଉଛନ୍ତି । ସରକାରୀ ଡ଼ଙ୍ଗା ନଚାଲିବାରୁ ଲୋକେ ଏଭଳି ବିପଦ ପୂର୍ଣ୍ଣ ଯାତାୟତ କରୁଛନ୍ତି । ଏନେଇ ପ୍ରଶାସନକୁ ଜଣାଇଲେ ବି କିଛି ଲାଭ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Advertisment

ସେପଟେ ସ୍ପି୍ଲୱେ ନିକଟରେ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା ମଧ୍ୟ ଆଜି ପର୍ଯ୍ୟନ୍ତ ସରିନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ସରୁ ମାଛଧରା ଡଙ୍ଗାରେ ସଲେରୁ ନଦୀ ପାରି ହୋଇ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ, ବଜାର ଓ ବ୍ୟାଙ୍କକୁ ଯିବା ଆସିବା କରୁୁଛନ୍ତି ।

ଆରଙ୍ଗୀ ଘାଟର ମଧ୍ୟ ସମାନ ଅବସ୍ଥା । ଏଠି ସରକାରୀ ଡ଼ଙ୍ଗା ଅଛି ସତ ହେଲେ ଡ଼ଙ୍ଗାର ଅବସ୍ଥା ନକହିବା ଭଲ । ଡ଼ଙ୍ଗାର ଭିତରେ ଫାଟ ହୋଇ ପାଣି ପସି ଯାଉଛି । ବାରମ୍ବାର ମୋଟର ଖରାପ ରହୁଛି! ତେଣୁ ଲୋକେ ଦଉଡ଼ି ଟାଣି ଟାଣି ନଦୀ ପାର ହେଉଛନ୍ତି । ଏହି ଘାଟ ଉପରେ ଗୁଣ୍ଠାବେଢ଼ା, କୋପାତୁଟି, ପାପଲୁର, କୁର୍ମାନୁର ଆଦି ୪ଟି ପଂଚାୟତର ଲୋକେ ନିର୍ଭର କରିଥାନ୍ତି ।

ପୁରା ସ୍ଥିତିକୁ ଦେଖିଲେ ଗମନାଗମନ ବ୍ୟବସ୍ଥାର ଦୁରାବସ୍ଥା ଜଳଜଳ ହୋଇ ଦେଖାଯାଉଛି । ଏଭଳି ସ୍ଥିତିରେ ଏହି ୬ଟି ପଂଚାୟତବାସୀଙ୍କ ପାଇଁ ପ୍ରଶାସନ ସରକାରୀ ଡ଼ଙ୍ଗା ଯୋଗାଇ ଦେବାର ଆବଶ୍ୟକତା ରହିଛି ।