ପଂଚାୟତ ନିର୍ବାଚନରେ ପରିବାର ରାଜନୀତି: ସମିତିସଭ୍ୟ ପଦ ପାଇଁ ନାମାଙ୍କନ ଭରିଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ଓ ଦୁଇ ପୁତୁରା

164

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ପୁଣି ପଂଚାୟତ ନିର୍ବାଚନରେ ଚର୍ଚାରେ ମଲାକନଗିରିର ବାକା ପରିବାର । ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଉଭୟ ଦାଦା-ଝିଆରୀ ପ୍ରାର୍ଥୀ ହୋଇଥିଲେ, ଏବେ ଗୋଟିଏ ପରିବାରର ୩ ଭାଇ ପ୍ରାର୍ଥୀ ହୋଇ ଗାଁ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛନ୍ତି । ୩ ଜଣ ଭାଇ ସମିତି ସଭ୍ୟ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ବାକା ପରିବାର । ଗୋଟିଏ ପରିବାରର ୩ ଜଣ ପଂଚାୟତ ପ୍ରାର୍ଥୀ । ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ପଂଚାୟତର ସମିତି ସଭ୍ୟ ଆସନ ପାଇଁ ୩ ଭାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା ଓ ଦୁଇ ପୁତୁରା ବିଷ୍ଣୁ ପ୍ରସାଦ ବାକା ଏବଂ ତାଙ୍କ ସାନ ଭାଇ ମହେଶ କୁମାର ବାକା ପ୍ରାର୍ଥୀ ହୋଇଛନ୍ତି । ତେବେ ବଡ ବାପାଙ୍କ ପୁଅଙ୍କ ସହ ନିର୍ବାଚନ ଲଢେଇ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଧାୟକଙ୍କ ପୁଅ ମହେଶ ବାକା ।

ବିଧାନସଭା ନିର୍ବାଚନ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବିରୋଧରେ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ପ୍ରାର୍ଥୀ ହୋଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ । ଏବେ ପଂଚାୟତ ପଲିଟିକ୍ସରେ ବାକା ପରିବାରର ଭାଇ-ଭାଇଙ୍କ ଭିତରେ ଖୋଲା ଲଢେଇ ହେଉଛି । ବିଧାୟକଙ୍କ ପୁଅଙ୍କ ବିରୋଧରେ ପ୍ରାର୍ଥୀ ହେବା ପାଇଁ ଚାକିରି ଛାଡିଛନ୍ତି ପୁତୁରା ବିଷ୍ଣୁ ପ୍ରସାଦ ବାକା ।

ବିଧାୟକଙ୍କ ଝିଅ ତଥା ବିଜେପିର ଜିଲ୍ଲା ପରିଷଦ ଶାନ୍ତିଲତା ମାଝି ଓ ବିଧାୟକଙ୍କ ମଧ୍ୟରେ ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ଘଟଣା ଚର୍ଚ୍ଚା ସାଉଁଟିଥିଲା । ସେହିପରି ଆଇଟିଡିଏର ସରକାରୀ କାମକୁ କେତେକ ସମ୍ପର୍କୀୟଙ୍କୁ ବାଂଟି ହଟ୍ଟହଟ୍ଟା ହୋଇଥିଲେ ବାକା ପରିବାର । ଏବେ ପଂଚାୟତ ନିର୍ବାଚନରେ ଭାଇ-ଭାଇଙ୍କ ମଧ୍ୟରେ ଲଢେଇ ପୁଣି ବାକା ପରିବାରକୁ ଚର୍ଚ୍ଚା ଆଣିଛି ।