କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଚିତ୍ରକୋଣ୍ଡା । ଦାଦା ବିରୋଧରେ ଝିଆରୀ ପ୍ରାର୍ଥୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଆଉ ନକ୍ସଲ ପ୍ରଭାବିତ ଏହି ଅଂଚଳରେ ଦାଦା ବନାମ ଝିଆରି ଲଢ଼େଇ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚାରେ। କାରଣ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସଂପର୍କରେ ଦାଦା ଝିଆରୀ। ଏହି ଗୋଟିଏ ପରିବାରର ୩ଜଣ ସଦସ୍ୟ ପରସ୍ପର ବିରୋଧରେ ପ୍ରଚାର କରିବେ। ଏଣୁ କିଏ କେଉଁଭଳି ଆକ୍ଷେପ ଏବଂ ଅଭିଯୋଗ ପରସ୍ପର ବିରୋଧରେ କରିବେ, ପରସ୍ପରକୁ ମାତ ଦେବା ଲାଗି ନିର୍ଦିଷ୍ଟ କି ରଣକୌଶଳ ଗ୍ରହଣ କରିବେ, ତାହାକୁ ନେଇ ଏବେ ପୂରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି। ସରକାରୀ ଚାକିରିରୁ ଅବସର ନେବାପରେ ରାଜନୀତିକୁ ଓହ୍ଲାଇଥିଲେ ପୂର୍ଣ୍ଣଚନ୍ଦ୍ର ବାକା। ବିଜେଡିରେ ଯୋଗଦେଇ ଟିକେଟ୍ ପାଇବେ ବୋଲି ଆଶା କରିଥିଲେ।

Advertisment

ଦଳ ମଧ୍ୟ ତାଙ୍କ ଉପରେ ଭରସା ରଖି ଗତ ନିର୍ବାଚନରେ ବିଜୟୀ ହୋଇଥିବା ଡମ୍ବରୁ ଶିଶାଙ୍କ ଟିକଟ କାଟିଦେଲା। ଅନ୍ୟପଟେ ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ସୋମବାର ରାତିରେ ପ୍ରାର୍ଥୀ ଘୋଷଣା କଲା। ଝିଆରୀ ତଥା ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କୁ କଂଗ୍ରେସ ଟିକଟ ଦେଇ ନିର୍ବାଚନକୁ ଅଧିକ ରୋଚକ ଏବଂ ସଂଘର୍ଷପୂର୍ଣ୍ଣ କରି ଦେଇଛି। ଦାଦାଙ୍କ ବିରୋଧରେ ଝିଆରୀ ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ। କେବଳ ସେତିକି ନୁହେଁ, ଏହି ପରିବାରର ଅନ୍ୟ ଜଣେ ସଦସ୍ୟା ଉଭୟଙ୍କ ବିରୋଧରେ ପ୍ରଚାର କରିବେ। ସେ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ଝିଅ ଶାନ୍ତିଲତା ମାଝୀ। ଗତ ପଞ୍ଚାୟତ ନିର୍ବାଚନରେ ଶାନ୍ତିଲତା ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ଟିେକଟ ଦେବ ବୋଲି ସେ ଆଶା କରୁଛନ୍ତି।

ଯଦି ବି ଦଳ ତାଙ୍କୁ ଟିକଟ ନଦିଏ, ତଥାପି ସେ ନିର୍ବାଚନ ପ୍ରଚାର କରିବେ। ନିଜ ପରିବାରର ଦୁଇ ସଦସ୍ୟଙ୍କ ବିରୋଧରେ ଭୋଟରଙ୍କ ପାଖକୁ ଯିବେ। ବର୍ତମାନର ବିଧାୟକ ଡମ୍ବରୁ ଶିଶାଙ୍କୁ ଟିକେଟ ନମିଳିବା ପରେ ତାଙ୍କ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ସେହିଭଳି ଗତ ଦିନରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଶରତ ବୁରୁଦାଙ୍କ ଗୋଷ୍ଠୀ ବି ଏକ ପ୍ରକାର ବିଦ୍ରୋହ ଆରମ୍ଭ କରିଛନ୍ତି। ତେଣୁ ଉଭୟ ଗୋଷ୍ଠୀ ନିର୍ବାଚନ ଉପରେ କେଉଁ ଭଳି ପ୍ରଭାବ ପକାଉଛନ୍ତି ତାହା ସମୟ କହିବ। ତେବେ ବିେଜପି ପ୍ରାର୍ଥୀ ଘୋଷଣା ପରେ ଏହି ଆସନରେ ତ୍ରିମୁଖୀ ଲଢ଼େଇ ରୋମାଞ୍ଚକର ହେବ।