ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ ବିବାଦ । ସରକାରୀ କ୍ଷମତାର ଅପବ୍ୟବହାର ନେଇ ଅଭିଯୋଗ ପରେ ସଫେଇ ରଖିଲେ ବିଡିଓ ଲକିମନ୍ ଖର୍ସେଲ । କହିଲେ, କୋଭିଡ ସମୟ ନୁହେଁ ବରଂ କୋଭିଡ ପୂର୍ବରୁ ହୋଇଛି ଭିଡିଓ ସୁଟିଂ

398

କନକ ବ୍ୟୁରୋ : ଚିତ୍ରକୋଣ୍ଡା ବିଡିଓ ଆଲବମ ବିବାଦ । ସରକାରୀ କ୍ଷମତାର ଅପବ୍ୟବହାର କରି ବିଡିଓ ଲରିମନ ଖରସେଲ ଏକ ରୋମାଂଟିିକ ଆଲବମ ପ୍ରସ୍ତୁତ କରିବା ନେଇ କନକ ନ୍ୟୁଜରେ ପ୍ରସାରଣ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ବିଡିଓ ଲରିମନ ଖର୍ସେନ । କୋଭିଡ ସମୟ ନୁହେଁ ବରଂ କୋଭିଡ ପୁର୍ବରୁ ଭିଡିଓଟି ଶୁଟ ହୋଇଥିବା ବିଡିଓ ସଫେଇ ଦେଇଛନ୍ତି । ତେବେ ଜଣେ କ୍ଲାସ–ୱାନ୍ ଅଧିକାରୀ ନିଜ ନୈତିକତା ସହ ସବୁ ନିୟମକୁ ଜଳାଂଜଳି ଦେଇ କେମିତି ଏପରି ଭିଡିଓ ଶୁଟ କଲେ ତାକୁ ନେଇ ଚର୍ଚା ଯୋର ଧରିଛି ।

ବିଡିଓ ଲରିମନ ନିଜ ସରକାରୀ ବାସଭବନ ଠାରୁ ଆରମ୍ଭ କରି ମୋଟର ଲଂଚରେ ଭିଡିଓ ଶୁଟ୍ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି ବରିଷ୍ଠ ପ୍ରଶାସକ । ଗତ ଜୁନ କିମ୍ବା ଜୁଲାଇ ମାସରେ ଏଇ ଶ୍ରାବଣ ନାମରେ ୟୁଟ୍ୟୁବରେ ଭିଡିଓଟି ଅପଲୋଡ କରା ଯାଇ ଏହାର ପ୍ରଚାର ପ୍ରସାର କରାଯାଇଥିଲା । ଆଉ ଖବର ପ୍ରସାରଣ ପରେ ୟୁଟ୍ୟୁବରୁ ଭିଡିଓଟି ତୁରନ୍ତ ଡିଲିଟ ମଧ୍ୟ ହୋଇସାରିଛି । ଆଉ ଏହି ଭିଡିଓଟି କୋଭିଡ ସମୟରେ ସୁଟିଂ ହୋଇଥିବା ନେଇ ଅଭିଯୋଗ ହୋଇ ଥିଲା, ତାହାକୁ ଖଣ୍ଡନ କରିଛନ୍ତି ବିଡିଓ ଲରିମନ ଖରସେଲ ।

ସ୍ୱାଭିମାନ ଅଂଚଳର ପର୍ଯ୍ୟଟନ ର ବିକାଶ ଲାଗି ଏପରି ଭିଡିଓଟି କରାଯାଇ ଥିବା ସେ ଗଣମାଧ୍ୟମରେ ସଫେଇ ଦେଇଛନ୍ତି । ସେପଟେ ସ୍ୱାଭିମାନ ଅଂଚଳର କେଉଁ ପର୍ଯ୍ୟଟନ ସ୍ଥଳିକୁ ଫୋକସ କରିଛନ୍ତି ବିଡିଓ । ଓଡିଶା ପ୍ରଶାସନିକ ଅଧିକାରୀଙ୍କ କୋଡ ଅଫ କଣ୍ଡକ୍ଟକୁ ଜଳାଂଜଳି ଦେଇ ଏପରି ଆଲବମ ଭିଡିଓ ପ୍ରସ୍ତୁତ କଲେ କେମିତି । ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେଇଥିଲେ କି ବିଡିଓ । ସରକାରୀ ମୋଟର ଲଂଚ ବ୍ୟବହାର ଲାଗି ଅନୁମତି ନେଇଥିଲେ କି ବିଡିଓ । ଏମିତି ଅନେକ ପ୍ରଶ୍ନ ଉଠିଛି ।