ସରକାରୀ କ୍ଷମତାର ଅପବ୍ୟବାହର କରି ଆଲବମ୍ ହିରୋ ସାଜିଲେ ଚିତ୍ରକୋଣ୍ଡା ବିଡିଓ । ସରକାରୀ ବାସଭବନରେ ହେଲା ଆଲବମ୍ ସୁଟିଂ, ଅଭିନେତ୍ରୀଙ୍କୁ ନେଇ ବୋଟରେ କଲେ ଅଭିନୟ ।

2,675

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସରକାରୀ ବାବୁଙ୍କ ସୌଖିନୀ ମିଜାଜ୍ । ସ୍ୱାଭିମାନ ଅଂଚଳରେ ପାଇଖାନା ଦୁର୍ନିତୀ ଅଭିଯୋଗରେ ଛନ୍ଦି ହୋଇ ପଡିଥିବା ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲିରମନ୍ ଖର୍ସେଲ ସରକାରୀ କ୍ଷମତାର ଅପବ୍ୟବାହର କରି ଆଲବମ୍ ସୁଟିଂ କରିଥିବା ଅଭିଯୋଗ ହୋଇଛି । ଅଭିନେତ୍ରୀଙ୍କ ସହ ସରକାରୀ ବାସଭବନରେ ବିଡିଓ ଆଲବମ୍ ସୁଟିଂ କରିଛନ୍ତି । କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କୁ ନେଇ ଯାତ୍ରୀବାହୀ ମୋଟର ବୋଟରେ ଅଭିନୟ କରି ଅଡୁଆରେ ପଡିଛନ୍ତି ବିଡିଓ ଲିରମନ୍ ଖର୍ସେଲ ।

ଚର୍ଚ୍ଚାରେ ବିଡିଓଙ୍କ ଅଭିନୟ ନିଶା । ସରକାରୀ ବାବୁଙ୍କ ସୌଖୀନ୍ ମିଜାଜ୍ । ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ସରକାରୀ ବାବୁ ହେଲେ ବୋଲି କ’ଣ ତାଙ୍କର କୌଣସି ଇଚ୍ଛା ନାହିଁ କି ମନ ନାହିଁ । ଆଲବମ୍ କରିବାରେ ଅସୁବିଧା ରହିଲା କେଉଁଠି ? ଆଲବମ୍ ଦେଖିଲା ପରେ ଆମ ମନରେ ବି ସେଇ ପ୍ରଶ୍ନ ଆସିଥିଲା । ହେଲେ, ଯେତେବେଳେ ଆଲବମ୍ ପଛରେ କାହାଣୀ ସାମ୍ନାକୁ ଆସିଥିଲା ସେତେବେଳେ ଆମକୁ ବି ଆଶ୍ଚର୍ଯ୍ୟ କରିଥିଲା ।

ସୌଖ୍ ପୂରଣ ପାଇଁ କ୍ଷମତାର ଅପବ୍ୟବହାର । ସରକାରୀ ବାସଭବନରେ ଆଲବମ୍ ସୁଟିଂ । ଯାତ୍ରୀବାହୀ ବୋଟରେ ଟାଇଟନିକ୍ ପୋଜ୍ । ସ୍ୱାଭିମାନ ଅଂଚଳରେ ତିଆରି ହୋଇଥିବା ଏହି ଭିଡିଓ ଆଲବମରେ ଚିତ୍ରକୋଣ୍ଡା ବିଡିଓ ଲରିମନ୍ ଖରସେଲ୍ ନିଜ ଶୌକ ପାଇଁ କ୍ଷମତାର ଅପବ୍ୟବହାର କରିଥିବା ଜଳଜଳ ହୋଇ ଦେଖାଯାଉଛି ।

ବିଡିଓଙ୍କ ସରକାରୀ ବାସଭବନରେ ନାୟିକାଙ୍କୁ ଆଣି ଭିଡିଓ ସୁଟିଂ କରିବା, ସ୍ୱାଭିମାନ ଅଂଚଳର ଲୋକଙ୍କ ପାଇଁ ଥିବା ଯାତ୍ରୀବାହୀ ମୋଟର ଲଂଚରେ ବ୍ୟବହାର କରିବା, ପାଇଖାନା ଦୁର୍ନୀତିକୁ ନେଇ ପ୍ରଶାସନ ଉତ୍ତରଦାୟୀ ଥିବା ବେଳେ ଅବସର ବିନୋଦନରେ ସମୟ କାଟିବା ଭଳି ଅଭିଯୋଗ ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

ପ୍ରଶାସନିକ ଅଧିକାରୀଙ୍କ ଆଲବମ୍ ସୁଟିଂ ଏବଂ ଏହାର ପ୍ରଚାରପ୍ରସାରର ସମୟ ଦେଖନ୍ତୁ । ଯେତେବେଳେ ସାରା ଦୁନିଆ କରୋନା ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛି । ସ୍ୱାଭିମାନ ଅଂଚଳରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଅଭିଯୋଗ ଆସୁଛି । ଠିକ୍ ସେତେବେଳେ ଚିତ୍ରକୋଣ୍ଡା ବିଡିଓଙ୍କୁ ଘାରିଛି ହିରୋ ହେବାର ନିଶା ।