କନକ ବ୍ୟୁରୋ : ନିବେଶକଙ୍କ ଷ୍ଟକ କିଣାବିକା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ, ଏନଏସଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଳୟରେ ରହୁଥିବା ଜଣେ ଯୋଗୀ ବା ଆଧ୍ୟାତ୍ମିକ ଗୁରୁଙ୍କ କଥାରେ ପରିଚାଳିତ ହେଉଥିଲେ । ସେ ସିଇଓ ଦାୟିତ୍ୱ ନାମକୁ ମାତ୍ର ସମ୍ପାଦନ କରୁଥିଲେ । ହିମାଳୟର ତଥାକଥିତ ଆଧ୍ୟାତ୍ମିକ ଗୁରୁ ଥିଲେ ପ୍ରକୃତ ଚାଳକ ଓ ସିିଇଓ ଥିଲେ ସଖୀ କଣ୍ଢେଇ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ , ସେବିର ତଦନ୍ତରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।

Advertisment

ଏନଏସଇର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ଚିତ୍ରା ରାମକୃଷ୍ଣ । ଚିତ୍ରା ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କ ଏନଏସଇର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଅବଗତ କରାଉଥିଲେ ଓ ତାଙ୍କ ପରାମର୍ଶ ଅନୁସାରେ ନିଷ୍ପତି ନେଉଥିଲେ । ଏହି କଥା ସାମ୍ନାକୁ ଆସିବା ପରେ ସେବି ଚିତ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ କରିଛି । ୨୦୧୭ରେ ଏନଏସଇର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ ହେଉଥିବା ଅଭିଯୋଗ ଆସିଥିଲା । ସେବି ଏହାର ତଦନ୍ତ ଆରମ୍ଭ କରିଥିଲା ।

ସେ ଏକ ଅଜଣା ଇ-ମେଲ ଆଇଡିରେ ଏକ୍ସଚେଞ୍ଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲେ । ଏ କଥାକୁ ଚିତ୍ରା ସ୍ୱୀକାର ବି କରିଛନ୍ତି । ପ୍ରାୟ ୨୦ ବର୍ଷ ଧରି ସେ ଗୁରୁଙ୍କ ସହ ଯୋଗାଯୋଗରେ ଥିଲେ । ସେବି ତଦନ୍ତରୁ ଜଣାପଡିଛି. ଏନଏସଇ କାମରେ ସେହି ବାବାଙ୍କ ବଡ ଧରଣର ପ୍ରଭାବ ରହିଥିଲା । ଏପରିକି ତାଙ୍କ ଇସାରାରେ ବଜାର ସମ୍ପର୍କରେ ଜ୍ଞାନ ନଥିବା କିଛି ଲୋକଙ୍କୁ ବି ନିଯୁକ୍ତି ଦିଆଯାଇଥିଲା । ୨୦୦୯ରେ ଚିତ୍ରାଙ୍କୁ ଏନଏସଇର ଏମଡି ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୩ରେ ସେ ସିଇଓ ଭାବେ ପଦୋନ୍ନତି ପାଇଥିଲେ । ୨୦୧୬ରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦରୁ ଇସ୍ତଫା ଦେଇଥିଲେ ।