ରାଜ୍ୟର ୧୫ଟି ସମେତ ଦେଶର ୨୦ଟି ସ୍ଥାନରେ ଇଡିର ଚଢାଉ । ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡ ଠକେଇ ଘଟଣାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ବାଙ୍ଗାଲୁରୁ ଟିମର ରେଡ

300

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି ଚିଟଫଣ୍ଡ ତାତି । ଦୀର୍ଘ ୧୧ ବର୍ଷ ଧରି ଜମାଟଙ୍କା ଫେରିପାଇବାକୁ ଅପେକ୍ଷା କରିଛନ୍ତି ଜମାକାରୀ । ହେଲେ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ କେବଳ ତଦନ୍ତ ଆଳରେ କେବେ କେବେ ଚଢାଉ କରି ଜମାକାରୀଙ୍କୁ ଭରଶା ଦେବାକୁ ଚେଷ୍ଟା କରିଛନ୍ତି । କିଛି ଦୋଷୀ ଜେଲଦଣ୍ଡ ଭୋଗି ଫେରିସାରିଥିବା ବେଳେ କିଛି ଅଭିଯୁକ୍ତଙ୍କୁ ଏବେ ବି ଖୋଜୁଛି ଆଇନ । ଏହି କ୍ରମରେ ଆଜି ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ କରିଛି ଇଡି । ପ୍ରାୟ ୯ଶହ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାମକ ଚିଟଫଣ୍ଡ ସଂସ୍ଥା ଉପରେ ଏହି ଚଢ଼ାଇ କରାଯାଇଛି । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ସମେତ କିଛି କର୍ମକର୍ତାଙ୍କ ଘରେ ବି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତେବେ ଚଢ଼ାଉ ବେଳେ କେତେ ଟଙ୍କା ଏବଂ କ’ଣ ସବୁ ଜବତ ହୋଇଛି, ତାହା ଜଣାପଡ଼ିନାହିଁ ।

ଲୋଭନୀୟ ସ୍କିମର ଅଫର୍ ଦେଖାଇ ଲୋକମାନଙ୍କୁ ଟଙ୍କା ଠକିଛି ଏହି ଚିଟଫଣ୍ଡ ସଂସ୍ଥା । ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ ଟଙ୍କା ଫେରି ପାଇବା ପାଇଁ ଆବେଦନ କରିଥିଲେ । ଏହି ଚିଟଫଣ୍ଡ ସଂସ୍ଥା ଉପରେ କ୍ରାଇମବ୍ରାଂଚ ଚଢ଼ାଉ କରିଥିଲା । ୨୦୧୬ରେ କ୍ରାଇମବ୍ରାଂଚ ଏହି ଚିଟଫଣ୍ଡ ସଂସ୍ଥାର କିଛି ସଂପତି ଜବତ କରିବା ସହ ଜମିଗୁଡ଼ିକ ନିଲାମ କରିଥିଲା ।