ଲୋକଙ୍କ ମନରୁ ଲୋଭ ହଟୁନି । କମ ସମୟରେ ଅଧିକ ଲାଭ ପାଇଁ ଚିଟଫଣ୍ଡରେ ଲଗାଇଥିବା ଟଙ୍କା ବୁଡିଗଲା ।

197

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇକୁ ନେଇ ଏତେ ଘଣ୍ଟାଚକଟା ପରେ ବି ପୁଣି ଚିଟଫଣ୍ଡ । ଆପଣଙ୍କ ସ୍ୱପ୍ନକୁ ବାସ୍ତବ ରୁପ ଦେବ ନେଟୱାର୍କ ବିଜନେସ । ମାତ୍ର କେଇ ଦିନରେ ଗଢିପାରିବେ ସ୍ୱପ୍ନର ଘର, ମିଳିବ ଦାମୀ କାର ଓ କରିପାରିବେ ବିଦେଶ ଯାତ୍ରା । ଏଭଳି ଲୋଭନୀୟ ଅଫର ଦେଖାଇ କରୋନା କାଳରେ କୋଟି କୋଟି ଟଙ୍କା ଲୁଟିନେଇଛି ଟିଟଫଣ୍ଡ ସଂସ୍ଥା ଅରକ୍ସା ଡିଲ । ଠକାମୀର ଶୀକାର ହେବା ପରେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି ପୀଡିତ । ଅବସର ପ୍ରାପ୍ତ ବିଏସଏଫ ଜବାନ ବି ଫସିଯାଇଛନ୍ତି ଠକଙ୍କ ଜାଲରେ । ବାଲେଶ୍ୱରରେ ୩୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

କୋଟିପତି କରାଇଦେବା ପାଇଁ ଏମିତି ମିଳୁଥିଲା ପ୍ରତିଶ୍ରୁତି । ବଡ ବଡ ମଞ୍ଚରେ ଲୋକଙ୍କୁ ଦିବା ସ୍ୱପ୍ନ ଦେଖାଉଥିଲେ ଚିଟଫଣ୍ଡ ସଂସ୍ଥା ଅରକ୍ସା ଡିଲର ଓଡିଶା ମୁଖ୍ୟ ଶରତ ନାୟକ । ନେଟୱର୍କ ବିଜନେସ ନାଁରେ ବାଲେଶ୍ୱରରେ ବୁଣିଥିଲେ ଚିଟଫଣ୍ଡର ଆଉ ଏକ ମାୟାଜାଲ । ପ୍ରଥମେ ଇଲୋକଟ୍ରୋନିକ୍ସ ସାମଗ୍ରୀ ଓ ପରେ ପରେ ଫ୍ରାଞ୍ଚାଇଜ ଜାଲ ବିଛାଇଥିଲା ଅରକ୍ସା ଡିଲ । ବିଭିନ୍ନ ପ୍ୟାକେଜ ଅଫର ଦେଇ ଲୋକଙ୍କୁ ଠାରୁ ଟଙ୍କା ଆଦାୟ କରିଥିଲା ଅରକ୍ସା ଡିଲ ।

ବାଲେଶ୍ୱର ଅଞ୍ଚଳର ଶତାଧିକ ଲୋକ ଏହି ଟିଟଫଣ୍ଡ ସଂସ୍ଥାର ମାୟାଜାଲରେ ଫସିଥିବା ବେଳେ ଜଣେ ଅବସରପ୍ରାପ୍ତ ବିଏସଏଫ ଜବାନ ବି ଫସିଯାଇଥିଲେ । ଅଧିକ ଟଙ୍କା ପାଇବା ଆଶାରେ ସଂସ୍ଥା ଆକାଉଣ୍ଟକୁ ୨୩ ଲକ୍ଷ ଟଙ୍କା ଜମା କରିଦେଲେ । କିନ୍ତୁ ଟଙ୍କା ନେଇ ଗାୟବ ହୋଇଗଲା ସଂସ୍ଥା । ଘଟଣାର ତଦନ୍ତ କରିବା ପାଇଁ ଇଓଡବ୍ଲୁ ପାଖରେ ଅଭିଯୋଗ କରିଛନ୍ତି ପୀଡିତ ।

ବଡ ବଡ ମଞ୍ଚରେ ମନଛୁଆଁ ଭାଷଣ ଦେଇ ଲୋକଙ୍କୁ ନିଜ ମାୟାଜାଲରେ ଫସାଇ ଚାଲିଥିଲେ ଶରତ ନାୟକ । କେବଳ ଏତିକି ନୁହେଁ, ଏହା ଚିଟଫଣ୍ଡ ସଂସ୍ଥା ନୁହେଁ, ବରଂ ବିଶ୍ୱାସ ଯୋଗ୍ୟ ସଂସ୍ଥା ବୋଲି କହୁଥିଲେ । ତେବେ ପ୍ରଶ୍ନ ଉଠୁଛି, ଚିଟଫଣ୍ଡ ନେଇ ଏତେ ତମ୍ବି ତୋଫାନ ଚାଲିଥିବା ବେଳେ ଏହି ସଂସ୍ଥା କିଭଳି ଲୋକଙ୍କୁ ଫସାଉଥିଲା, ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ବାବୁଙ୍କ ପାଖରେ ଖବର ଥିଲା ନା ସବୁ ଜାଣି ଚୁପ ରହିବାର ଅଭିନୟ କରୁଥିଲେ ସରକାରୀ ବାବୁ, ଏ ନେଇ ପ୍ରଶ୍ନ ଉଠିଛି ।