କନକବ୍ୟୁରୋ:  ଏ ଥିଲା ମେ ୨୦ରେ କଟକର ନିର୍ବାଚନୀ ସଭାରେ ଓଡିଶାବାସୀଙ୍କୁ ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି। ରାଜ୍ୟରେ ମୁଖ୍ୟତଃ ତିନିଟି ପ୍ରସଙ୍ଗକୁ ଆଧାର କରି ବିଜେପି କ୍ଷମତାକୁ ଫେରିଛି। ଏମଏସପି ବୃଦ୍ଧି, ରତ୍ନଭଣ୍ଡାର ଖୋଲିବା ଏବଂ ଚିଟଫଣ୍ଡ ତଦନ୍ତ। ସରକାରକୁ ଏବେ ମାସେରୁ ଅଧିକ ଦିନ ବିତିଛି। ତେଣୁ ସମସ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସରକାର ତଦନ୍ତ କିଭଳି ଆଗଉଛନ୍ତି । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ୪ଟି ସ୍ବତନ୍ତ୍ର କୋର୍ଟରେ ମାମଲା ଚାଲିଛି କିନ୍ତୁ କେତେ ଚିଟଫଣ୍ଡ କମ୍ପାନୀର ଚାର୍ଜସିଟ୍ ଦାଖଲ ହେଲାଣି, ଏବଂ କେତେ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ ଟଙ୍କା ଫେରାଇବା ପ୍ରକ୍ରିୟା କେତେବାଟ ଗଲାଣି ତାହା ସ୍ପଷ୍ଟ ହୋଇପାରିନାହିଁ

Advertisment

ସିସୋର, ଅର୍ଥତତ୍ବ ଠୁ ଆରମ୍ଭ କରି ଅନେକ ଚିଟଫଣ୍ଡ ପ୍ରସଙ୍ଗରେ ତତ୍କାଳୀନ ଶାସକ ଦଳ ତଥା ବିଜେଡି ନେତାଙ୍କ ଲିଙ୍କ୍ ସାମ୍ନାକୁ ଆସିଥିଲା। ଏହାବାଦ ଅନେକ ଅଭିଯୁକ୍ତ ମଧ୍ୟ ଜାମିନରେ ବାହାରକୁ ବାହାରି ଆସିଲେଣି । କିନ୍ତୁ କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରି ପାଇନାହାନ୍ତି। ଏପଟେ ଗତ ୧୧ ବର୍ଷ ଭିତରେ ୨୦ ହଜାର ଜମାକାରୀ ଚିଟଫଣ୍ଡ ଟଙ୍କା ଫେରିପାଇବା ଆଶାରେ ଆଖି ବୁଜିସାରିଲେଣି ।

ଦୁର୍ନୀତିଖୋର ନେତାଙ୍କୁ ଜେଲ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କହିଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଏପରିକି ଜେଲରେ କୋଠରୀ ସଂଖ୍ୟା ବଢାଇବା ପାଇଁ ଜେଲ ବିଭାଗକୁ ପରାମର୍ଶ ଦେଇଥିଲେ। ତେଣୁ ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ନେତା ଓ କାର୍ପଟଦାରଙ୍କୁ ଜେଲ ପଠାଇବା ପାଇଁ ମୋହନ ସରକାର କି ପଦକ୍ଷେପ ନେବେ ତା ଉପରେ ନଜର ରହିଛି । ଅନ୍ୟପଟେ ବିଜେଡି କହିଛି, ବିଜେପି ତାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁ।