ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମୁହଁରେ ଫେରିଲା ହସ! କ୍ଷୁଦ୍ର ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଗଲା ଟଙ୍କା

61

କନକ ବ୍ୟୁରୋ : ଆଜି ଚିଟଫଣ୍ଡ ଜମାକାରୀଙ୍କ ମୁହଁରେ ହସ ଫେରିଛି । ସେମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି ଯେ, ସେମାନେ ହରାଇଥିବା ଟଙ୍କା ଫେରିପାଇବେ । ୧୦ ହଜାର ଟଙ୍କାରୁ କମ୍ ଜମା ରଖିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଜିଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବର୍ଷ ବର୍ଷ ଧରି ଯାହାକୁ ଚାତକ ଭଳି ଅନାଇ ରହିଥିଲେ , ତାହା ଆଜି ପୂରଣ ହୋଇଛି । ଜମାକାରୀଙ୍କ ମୁହଁରେ ହସ ଫୁଟିଛି । ବାର୍ଧକ୍ୟ ଭତା ବାବଦରେ ମାସକୁ ୩ ଶହ ଟଙ୍କା ମିଳୁଥିଲା । ସେଥିରୁ ଶହେ ଟଙ୍କା ଚିଟଫଣ୍ଡରେ ଜମା କରିଥିଲେ । ଆଶା ରଖିଥିଲେ ଅଧିକ ପଇସା ମିଳିବ । ହେଲେ ଚିଟଫଣ୍ଡ କମ୍ପାନୀ ଠକ ସବୁ ଖାଇଯାଇଥିଲେ । ହେଲେ ଏତେ ଦିନ ପରେ ଏବେ ନିଜ ଟଙ୍କା ଫେରିପାଇଛନ୍ତି ମାଗୁଣୀ ।

ଚିଟଫଣ୍ଡ କମ୍ପାନୀ କହିଥିଲା ଅଢେଇ ହଜାର ଟଙ୍କା ଜମାକଲେ ୫ ବର୍ଷରେ ୧୫ ହଜାର ଟଙ୍କା ମିଳିବ । ସେହି ଲୋଭରେ ପାଖରେ ଥିବା ଟଙ୍କା ଜମା କରିଦେଇଥିଲେ ବୀନତୀ । ହେଲେ ସବୁ ସ୍ୱପ୍ନ ପାଣିରେ ମିଳାଇଯାଇଥିଲା । ଚିଟଫଣ୍ଡ ନାଁରେ କମ୍ପାନୀ ସବୁ ଠକି ନେଇଥିଲା । ଏବେ ବ୍ୟାଙ୍କ ଆକାଂଉଟକୁ ଟଙ୍କା ଆସିଛି । ଆଉ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ବୀନତୀ ।

ଅନେକ ବାଦ ବିବାଦ, ଆନ୍ଦୋଳନ ଓ ଧାରଣା ପରେ ଆରମ୍ଭ ହୋଇଛି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରରେ ୨ଶହରୁ ଅଧିକ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ମିଳିଛି । ୧୦ ହଜାରରୁ କମ୍ ଟଙ୍କା ଜମା ରଖିଥିବା ଚିହ୍ନଟ ଜମାକାରୀଙ୍କୁ ଆରଟିଜିଏସ ମାଧ୍ୟମରେ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାର ୧୦୯୬ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ମିଳିବ ।

ଟଙ୍କା ପ୍ରଦାନ ସହ ଅନ୍ୟ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଏବଂ ଚିହ୍ନଟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିଛି । ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ୫ ବର୍ଷ ତଳେ କର୍ପସ ଫଣ୍ଡ ଗଠନ କରିଥିଲେ ସରକାର । ଏବେ ଆରମ୍ଭ ହୋଇଛି ଟଙ୍କା ଫେରସ୍ତ । ବାଲେଶ୍ୱର ଜିଲ୍ଲାରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପରେ ଅନ୍ୟ ଜମାକାରୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।