ଅନଲାଇନରେ ଚିଟଫଣ୍ଡ କେଳେଙ୍କାରୀର ସାଂଘାତିକ ତଥ୍ୟ । ୯୦ ପ୍ରତିଶତ ସୁଧ ଦେବାକୁ କହି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ।

97

କନକ ବ୍ୟୁରୋ : ଅନଲାଇନରେ ଚିଟଫଣ୍ଡ ଠକେଇ । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି । ୧୦ଦିନରେ ୯୦ପ୍ରତିଶତ ସୁଧ ଦିଆଯିବ ବୋଲି କିଛି ନିର୍ଦ୍ଧିଷ୍ଟ ସଂସ୍ଥା ପକ୍ଷରୁ ଦାବି କରାଯାଇଥିଲା । ଏବଂ ଏହି ଲୋଭରେ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ । କିନ୍ତୁ ପରେ ଜଣାପଡିଲା ଏହା ଏକ ଠକ ସଂସ୍ଥା । ଏହିଭଳି ୬୦କୋଟି ଟଙ୍କା ଠକି ନେଇଛି ଏହି ସଂସ୍ଥା । ଆଉ ଠକିଯିବା ପରେ ପୋଲିସ ଆଗରେ ଫେରାଦ ହୋଇଛନ୍ତି ଠକେଇର ଶିକାର ବ୍ୟକ୍ତି ।

ହ୍ୱାଟସଆପ କିମ୍ବା ମେସେଞ୍ଜରରେ ଲିଙ୍କ୍ ଶେଆର କରନ୍ତୁ ଘରେ ବସି ଟଙ୍କା ରୋଜଗାର କରନ୍ତୁ । ଏଭଳି କରି ଶହ ଶହ ବ୍ୟକ୍ତି ଏବେ ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଉ ଏହି ଠକ କମ୍ପାନୀର ଆପ୍ ଏବଂ ୱେବସାଇଟ୍ ବନ୍ଦ ହୋଇଯିବା ପରେ କଟକ ସାଇବର ଥାନାରେ ଆସି ଏତଲା ଦେଇଛନ୍ତି ଠକେଇର ଶିକାର ବ୍ୟକ୍ତି ।

ପୁଣି ମାତିଲେ ଚିଟଫଣ୍ଡ ଠକ । ୧୦ ଦିନରେ ୯୦ ପ୍ରତିଶତ ସୁଧ । ଆର୍ଥିକ ଲୋଭ ଦେଖାଇ ଚମ୍ପଟ ମାରିଲା କମ୍ପାନୀ । ଆଦିତ୍ୟ କୁମାର ସିଂ ଓ ଅଭିନାଶ ସତ୍ୟପ୍ରକାଶ । ଘର ବାରିପଦା । ଅଧିକ ଲୋଭ ଆଶାରେ ପୁଞ୍ଜି ନିବେଶ କରି ଏମାନେ ଠକେଇର ଶିକାର ହୋଇଛନ୍ତି । ହଜାରେ ଟଙ୍କା ନିବେଶ କଲେ ୧୦ ଦିନରେ ୧୯୦୦ ଟଙ୍କା ମିଳିବ ବୋଲି କ୍ସାଉଡ୍ ଆସେଟ ମ୍ୟାନେଜମେଣ୍ଟ ନାମକ ସଂସ୍ଥା ଲୋଭ ଦେଖାଇଥିଲା ।

ଏପରକି ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ନିବେଶ ପ୍ରମାଣପତ୍ର ଓ ନାମୀ ବୀମା କମ୍ପାନୀର ସିଲ୍ ମଧ୍ୟ ଲଗାଯାଇଥିଲା । ଏଥିରେ ପ୍ରଭାବିତ ହୋଇ ନିବେଶ ପାଇଁ ଆଗେଇ ଆସିଥିଲେ କିଛି ଲୋକ । ଏବେ ନା ଖୋଲୁଛି ୱେବସାଇଟ୍ ନା ଖୋଲୁଛି ଆପ୍ । ଟଙ୍କା ନେଇ ୱେବସାଇଟ୍ ଏବଂ ଆପ୍ ବନ୍ଦ କରିଦେଇଛି ଠକ କମ୍ପାନୀ । କଟକ ସାଇବର ସେଲରେ ଆସି ଅଭିଯୋଗ କରିଛନ୍ତି ଠକେଇର ଶିକାର ବ୍ୟକ୍ତି ।

ଆଦିତ୍ୟଙ୍କ ପରି ଅଭିନାଶ ମଧ୍ୟ ଠକେଇର ଶିକାର ହୋଇଛନ୍ତି । ଆପ୍ ଜରିଆରେ ୬ ଲକ୍ଷରୁ ଅଧିକ ଟଙ୍କା ନିବେଶ କରି ଏବେ ଫସିଯାଇଛନ୍ତି । ଜଣେ ଅନ୍ୟ ଜଣଙ୍କୁ ହ୍ୱାଟ୍ସଆପରେ ଲିଙ୍କ୍ ସେୟାର କଲେ କମିସନ ଜରିଆରେ ଘରେ ବସି ପୁଳା ପୁଳା ଟଙ୍କା ରୋଜଗାର କରିହେବ ବୋଲି ଲୋଭ ଦେଖାଇ ଚାଲ୍ ଖେଳିଥିଲା ଠକ କମ୍ପାନୀ ।

ଖାଲି ଏହି ଦୁଇ ଜଣ ନୁହନ୍ତି, ଶହ ଶହ ଲୋକ ଏହିଭଳି ଠକେଇର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ସବୁଠୁ ବଡ କଥା ହେଲା ଏହି ଠକ ସଂସ୍ଥାର ନା ଅଫିସ ଅଛି, ନା କେହି ଏଜେଣ୍ଟ ଅଛନ୍ତି । କେବଳ ଅନଲାଇନ୍ ଠକିବାର ମାଷ୍ଟର ପ୍ଲାନ କରିଥିଲା ଏହି ସଂସ୍ଥା । ଯେଉଁଥିପାଇଁ ଏହି କମ୍ପାନୀ କେଉଁଠିକାର, କିଏ ଏହି ଠକେଇ ପଛର ମାଷ୍ଟର ମାଇଣ୍ଡ ଜାଣିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।