ପୁଣି ଚିଟଫଣ୍ଡ ଠକେଇ : ଅନଲାଇନରେ ଠକିନେଲେ ୬୦କୋଟିରୁ ଅଧିକ ଟଙ୍କା

କଟକରୁ ବାରିପଦା, ରାଉରକେଲା ପର୍ଯ୍ୟନ୍ତ ଲମ୍ବିଛି କ୍ଷତିଗ୍ରସ୍ତଙ୍କ ତାଲିକା; କ୍ରାଇମବ୍ରାଂଚ ସାଇବର ସେଲରେ ଅନଲାଇନ ଠକେଇକୁ ନେଇ ଲିଖିତ ଅଭିଯୋଗ

85

କନକ ବ୍ୟୁରୋ : ରାଜ୍ୟରେ ଏବେ ବି ସକ୍ରିୟ ଅଛନ୍ତି ଚିଟଫଣ୍ଡ ଲୁଟେରା । ହେଲେ ବଦଳି ଯାଇଛି ଲୁଟର ତରିକା । କାରଣ ଅନଲାଇନରେ ଚୁନା ଲଗାଉଛନ୍ତି ଠକ ସଂସ୍ଥା । ଲୋଭନୀୟ ପ୍ରତିଶ୍ରୁତି ଦେଇ ୬୦ କୋଟିରୁ ଅଧିକ ଟଙ୍କା ଠକିନେଇଥିବା କ୍ରାଇମବ୍ରାଂଚ ସାଇବର ସେଲରେ ଅଭିଯୋଗ ହେବା ପରେ ଜଣାପଡିଛି ଘଟଣା । ବିଦେଶର ଏକ ସଂସ୍ଥା ନକଲି ୱେବସାଇଟ ପ୍ରସ୍ତୁତ କରି ଜମାକାରୀଙ୍କ ନିକଟରୁ ଗତ ଗୋଟିଏ ବର୍ଷ ଭିତରେ ଓଡିଶା ଏବଂ ଝାଡଖଣ୍ଡରୁ ଟଙ୍କା ଠକି ନେଇଛି ।

କ୍ଲାଉଡ ଆସେଟ ମ୍ୟାନେଜମେଂଟ ନାଁରେ ଏକ ୱେବସାଇଟ ପ୍ରସ୍ତୁତ କରି ମାସକୁ ୧ ହଜାର ଟଙ୍କା ଜମା କଲେ ୧ ହଜାର ୯୯୪ ଟଙ୍କା ସୁଧ ସହିତ ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲା ସଂସ୍ଥା । ଏଥିରେ ଓରିଏଂଟାଲ ଇନସୁରାନ୍ସର ଗ୍ୟାରେଂଟି ପକା ଯାଇଥିବା ସଂସ୍ଥା ପକ୍ଷରୁ ଦର୍ଶା ଯାଇଥିଲା । ତେଣୁ ଜମାକାରୀମାନେ ଅଧିକ ବିଶ୍ୱାସ କରି ଯାଇଥିଲେ । ଏହି ୱେବସାଇଟରେ ନିଜର ମୋବାଇଲ ନମ୍ବର ଓ ଆଧାରକାର୍ଡ ଦେଇ ଜମାକାରୀମାନେ ଏକ ଆକାଉଂଟ ଖୋଲିଥିଲେ । ଟଙ୍କା ଜମା କରିବା ପରେ କିଛିଦିନ ସୁଧସହ ଟଙ୍କା ଫେରସ୍ତ ମଧ୍ୟ ପାଇଥିଲେ ।

ହେଲେ ଲୋଭରେ ପଡି ଅଧିକ ଟଙ୍କା ଜମା କରିବା ପରେ ଠକାମିରେ ପଡିଗଲେ । ହେଲେ ଗତ ୧୦ ତାରିଖରୁ ଆଉ ୱେବସାଇଟ ଖୋଲୁନାହିଁ କିମ୍ବା ପଇସା ମଧ୍ୟ ଆକାଉଂଟରୁ ଉଠି ପାରୁନାହିଁ । ଏକ ପ୍ରକାର ଅଚଳ ହୋଇଗଲା । ପାଖାପାଖି ୧୫ ଦିନ ହେବ ଜମାକାରୀ ସେମାନଙ୍କ ଟଙ୍କା ଉଠାଇ ପାରୁନଥିବାରୁ ଏହା ଏକ ଠକ ଅନଲାଇନ୍‌ ସ˚ସ୍ଥା ଜଣାପଡ଼ିବା ପରେ ଏବେ ଓଡ଼ିଶା ସମେତ ଝାଡ଼ଖଣ୍ତର ଜମାକାରୀ ବି ସାମନାକୁ ଆସିଲେଣି ।