କନକ ବ୍ୟୁରୋ : ଗତ ୫ ତାରିଖରେ ସୁପ୍ରିମକୋର୍ଟ ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିବିଆଇ ଦ୍ୱାରା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି । ଆଜି ଏ ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଚାରପତି ଏମ.ଆର.ଶାହା ଏବଂ ବିଚାରପତି ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ଓଡ଼ିଶାରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି କରିବେ ।
ସିବିଆଇ ସତ୍ୟପାଠରେ କହିଛି, ମେ’ ୯, ୨୦୧୪ରେ ଚିଟଫଣ୍ଡ ତଦନ୍ତର ଭାର ସିବିଆଇକୁ ହସ୍ତାନ୍ତର କରିଥିଲା । ଏହି ସମୟରେ ଜମାକାରୀଙ୍କ ଅର୍ଥ ଫେରସ୍ତ କାର୍ଯ୍ୟ ସୁପ୍ରିମକୋର୍ଟ ଦ୍ୱାରା ସିବିଆଇକୁ ଦିଆଯାଇ ନଥିଲା । ୪୪ଟି ଚିଟଫଣ୍ଡ ଦୁର୍ନୀତି ମାମଲାରୁ ୨୩ଟିରେ ସମ୍ବନ୍ଧିତ କୋର୍ଟଗୁଡ଼ିକରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇଛି । ବଳକା ୨୧ଟି ମାମଲାରେ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ତଦନ୍ତ ଆଡଭାନ୍ସ ଷ୍ଟେଜରେ ରହିଛି । ୧୫ଟି ମାମଲାରେ ୧୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୯ଟି ଅଭିଯୋଗ ପତ୍ର ଦାଖଲ ହୋଇଛି । ୧୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଦୋଷ ସ୍ୱୀକାର କରିଛନ୍ତି ଏବଂ ଟ୍ରାଏଲ କୋର୍ଟ ଦ୍ୱାରା ଗୋଟିଏ ମାମଲାର ଦଣ୍ଡାଦେଶ ହୋଇଛି ।
ଇଓବି-୭ ଭୁବନେଶ୍ୱର ପକ୍ଷରୁ ତଦନ୍ତ କରାଯାଇଥିବା ୨୯ଟି ମାମଲାରେ ସମୁଦାୟ ୨୪୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଚାର୍ଜସିଟରେ ପ୍ରଭାବଶାଳୀ ବ୍ୟକ୍ତି ଯେପରିକି ତତ୍କାଳୀନ ସାଂସଦ, ବିଧାୟକ, ଆଡଭୋକେଟ ଜେନେରାଲ ତଥା ସମାଜର ବିଭିନ୍ନ ବର୍ଗର ଗୁରତ୍ୱପୂର୍ଣ୍ଣ ବ୍ୟକ୍ତି ରହିଛନ୍ତି ଯେଉଁମାନେ ସେମାନଙ୍କର ପ୍ରଭାବକୁ ବ୍ୟବହାର କରି ମାମଲାର ବିଚାରକୁ ବିଳମ୍ବ ପାଇଁ ପ୍ରୟାସ କରିଛନ୍ତି ବୋଲି ସତ୍ୟପାଠରେ ସିବିଆଇ କହିଛି ।
Follow Us