ଚିଟଫଣ୍ଡ ଠକେଇ ମାମଲା : ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ପରେ ଖୋଲିଲା ଗୁମର

ଟଲିଉଡ଼ ଲିଙ୍କ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ

147

କନକ ବୁରୋ : ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ନିର୍ମାଣ ହେଉଥିଲା ତେଲୁଗୁ ଫିଲ୍ମ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ହେବା ପରେ ଏହି ଗୁମର ଖୋଲିଛି । ଲୋକଙ୍କଠାରୁ ଟଙ୍କା ଲୁଟିନେଇ ଏଥିରେ ଫିଲ୍ମ ନିର୍ମାଣ କରୁଥିଲେ ପୂର୍ବତନ ବିଧାୟକ । ଟଲିଉଡ଼ ଲିଙ୍କ ନେଇ ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କୁ ଇଓଡବ୍ଲୁ ଗିରଫ କରିବା ପରେ କ୍ରାଇମବ୍ରାଂଚ ଏଡିଜି ପ୍ରତିକ୍ରିୟା ରଖିଛନ୍ତି । ୨୦୦୯ରୁ ୨୦୧୪ଭିତରେ ନୟାଗଡ, କଟକ, ଭୁବନେଶ୍ୱରରେ ବ୍ରାଂଚ କାର୍ଯ୍ୟାଳୟ କରିଥିଲେ ।

ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ଅଭିଯୋଗ କରିଥିବା ଜଣାପଡିଛି । ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ । ୧୨୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଭାଇଜାଗରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଏହା ସହ ଓଡ଼ିଶାରେ ମଧ୍ୟ ୫୦୦ କୋଟି ଟଙ୍କା ଠକେଇ କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି । ୱେଲଫେୟାର ବିଲଣ୍ଡିଂ ଇଷ୍ଟେଟ ପ୍ରାଇଭେଟ ଲିମିଟେଡରେ ଟଙ୍କା ଲଗାଇଲେ ୫ବର୍ଷରେ ଦୁଇ ଗୁଣା ହେବ । ଟଙ୍କା ଫେରସ୍ତ ନହେଲେ ଭାଇଜାଗରେ ଜାଗା ମିଳିବ ବୋଲି ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କ ୱେଲଫେୟାର ବିଲଣ୍ଡିଂ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଉଥିଲା ।