କନକ ବ୍ୟୁରୋ : ୩ ଜଣ ୱାଣ୍ଟେଡଙ୍କ ସମ୍ପର୍କରେ ସୂଚନା ପାଇଁ ବିଜ୍ଞପ୍ତି ଜାରି କଲା ଇଓଡବ୍ଲ୍ୟୁ । ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହୋଇ ଫେରାର ଥିବା ତ୍ରିବେଣୀ ମହାନ୍ତି, ଗୋଲଡେନ୍ ବାବା ଜ୍ୟୋତି ରଞ୍ଜନ ବେହେରା, ଏବଂ ଆଦିତ୍ୟ ଦାସଙ୍କ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର । ଏଥିସହ ସୂଚନା ଦେଉଥିବା ବ୍ୟକ୍ତି ନାମ ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁର ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ତ୍ରିବେଣୀ ସହିଦନଗରରେ ଷ୍ଟାର୍ କନସଲଟାନ୍ସି ଅଫିସ୍ ଖୋଲି ଲୋକଙ୍କୁ ଲୋଭନୀୟ ଅଫର୍ ଦେଇଥିଲା। ତିନି ବର୍ଷରେ ଜମା ଟଙ୍କା ଦୁଇଗୁଣା ଓ ରାଜଧାନୀ ଉପକଣ୍ଠରେ ୪ଲକ୍ଷ ଟଙ୍କାରେ ଫ୍ଲାଟ୍ ଦେବ ବୋଲି କହିଥିଲା । ଏମିତି ଲୋଭ ଦେଖାଇ ଲୋକଙ୍କଠାରୁ ପ୍ରାୟ ଶହେ କୋଟି ଟଙ୍କା ଠକି ନେଇଥିଲା । ଏନେଇ ସହିଦନଥାନାରେ ଅଭିଯୋଗ ହେବା ପରେ ୨୦୧୧ଏପ୍ରିଲରେ ପୁଲିସ ତାକୁ ଗିରଫ କରିଥିଲା । ଠକେଇ ଟଙ୍କାରେ ଦାମୀ କାର୍, କୋଠା, ସମ୍ପତ୍ତି କରିବା ସହ ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ନିର୍ମାଣ କରିଥିଲା। ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୨ରେ କ୍ରାଇମବ୍ରାଞ୍ଚକୁ ଯାଇଥିଲା ମାମଲା । ଇଓଡବ୍ଲୁ ମାମଲାର ତଦନ୍ତଭାର ନେଇଥିଲା ।
ଜାମିନ୍ରେ ଆସିବା ପରେ ଶେଷଥର ପାଇଁ ବରମୁଣ୍ଡା ହାଉସିଂବୋର୍ଡରେ ତ୍ରିବେଣୀକୁ ଦେଖିବାକୁ ମିଳିଥିଲା । ତା’ର ଘର ମଧ୍ୟ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ଏଲ୍-୭୨ରେ। ଏହା ପରଠାରୁ ସେ ଫେରାର୍ ଅଛି ବୋଲି କହିଛି ଇଓଡବ୍ଲୁ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶହଶହ କୋଟି ଟଙ୍କା ଠକିଥିବା ତ୍ରିବେଣୀ ସିଙ୍ଗାପୁର ଚାଲି ଯାଇଥିବା କୁହାଯାଉଛି । ସେଠାରେ ଆତ୍ମଗୋପନ କରି ରହିଛି । ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟାର୍ କନସଲଟାନ୍ସି ସଂସ୍ଥାର ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା । ତ୍ରିବେଣୀ ସମ୍ପର୍କରେ ଏହି ଫୋନ୍ ନମ୍ବର(୭୦୦୮୧୬୦୧୧୪)ରେ ଜଣାଇବା ପାଇଁ ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।
ସେହିପରି ମହଣ ମହଣ ସୁନା ପିନ୍ଧୁଥିବା କୁଖ୍ୟାତ ଠକ ଜ୍ୟୋତିରଂଜନ ବେଉରା ଓରଫ୍ ଗୋଲଡେନ୍ ବାବା ବିରୋଧରେ ୧୯ଟି ମାମଲା ରହିଛି । ଘର ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଲେନ୍ ନଂ-୬ରେ। ୨୦୧୮ ଡିସେମ୍ବର ୩୧ ତାରିଖରେ ଗୋଲଡେନ୍ ବାବାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦିଲ୍ଲୀରୁ ଗିରଫ କରିଥିଲା । ୧୧୦ କୋଟି ଟଙ୍କାର ଋଣ କରାଇଦେବା ଆଳରେ ଠକେଇ କରିଥିବା ନେଇ ମାମଲା ରହିଥିଲା । ସେହିପରି ଇଓଡବ୍ଲୁ ଅନ୍ୟ ଏକ ମାମଲାରେ ୨୦୧୯ ଜାନୁଆରି ୧୨ରେ ଗୋଲଡେନ୍ ବାବାକୁ ରିମାଣ୍ଡରେ ଆଣିଥିଲା। ଜାମିନରେ ମୁକୁଳିବା ପରେ ତା’ର ଆଉ ପତ୍ତା ମିଳି ନଥିଲା । ଖଣିଜ ଦ୍ରବ୍ୟ ଯୋଗାଇ ଦେବାକୁ କହି ସେ ଠକେଇ କରିଥିବା ନେଇ ତା’ ବିରୋଧରେ ଅଭିଯୋଗ ରହିଥିଲା ।
ଇଡି ସ୍କାନର୍ରେ ମଧ୍ୟ ରହିଥିଲା ଗୋଲଡେନ୍ ବାବା । ତା’ର ୫୧ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଦେଢ଼ କେଜି ସୁନା, ନଗଦ ୪୦ଲକ୍ଷ ଟଙ୍କା ଜବତ କରିଥିଲା ଇଡି। ଗୋଲଡେନ୍ ବାବାର ରାଜନୈତିକ ଲିଙ୍କ୍ ପଦାକୁ ଆସିବା ପରେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ଅଣ୍ଡାମାଡ଼ କରିଥିଲା। ଗୋଲଡେନ୍ ବାବା କେମିତି ଫେରାର୍ ହୋଇଗଲା ଓ ତଦନ୍ତକାରୀ ସଂସ୍ଥା କାହିଁକି ଜାଣିପାରିଲା ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଗୋଲଡେନ୍ ବାବା ସଂପର୍କରେ ଯଦି କେହି ସୂଚନା ପାଆନ୍ତି, ମୋବାଇଲ ନମ୍ବର(୯୪୩୮୧୨୯୬୧୨)ରେ ଜଣାଇବା ପାଇଁ ଇଓଡବ୍ଲୁ ପକ୍ଷରୁ ଦିଆଯାଇଛି । ଏତେ ଦିନ ଚୁପ୍ ରହିବା ପରେ ଏହି ମାମଲାରେ ଇଓଡବ୍ଲୁ ଏବେ ହଠାତ୍ କାହିଁକି ତତ୍ପର ହୋଇ ଉଠିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ସିଷ୍ଟମାଟିକ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ଆଦିତ୍ୟ ଦାଶ ବି ଇଓଡବ୍ଲୁର ଓ୍ଵାଣ୍ଟେଡ୍ ତାଲିକାରେ ରହିଛି । ୨୦୧୩ର ଚିଟଫଣ୍ଡ ଠକେଇ ମାମଲାରେ ସେ ଫେରାର୍ ଥିବା କୁହାଯାଇଛି। ତା’ର ଫଟୋ ମଧ୍ୟ ଜାରି କରାଯାଇଛି । ତା’ ଘର ପୁରୀ ସମୁଦ୍ରକୂଳ ଥାନା ବାଲିସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। କେହି ସନ୍ଧାନ ପାଇଲେ ମୋବାଇଲ ନମ୍ବର(୯୪୩୭୦୯୭୬୬୨)ରେ ଜଣାଇବାକୁ କୁହାଯାଇଛି । ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବା ସହ ପୁରସ୍କାର ପ୍ରଦାନ କରାଯିବ ବୋଲି ଇଓଡବ୍ଲୁ ଏସ୍ପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/33-25.jpg)