ବିଜେଡି ଶିବିରରେ ସାମିଲ ହେଲେ ହେଭିୱେଟ୍ ନେତା । ଦଳରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ, ସୁକାନ୍ତ ନାୟକ ଓ ବୃନ୍ଦାବନ ମାଝୀ । ବଢ଼ିଲା ଶାସକ ଦଳର ଶକ୍ତି

259

କନକ ବ୍ୟୁରୋ: ଶଙ୍ଖଭବନରେ ଆଜି ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ମିଶ୍ରଣ ଉତ୍ସବ ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

  • ଚାଲିଛି ମାରାଥନ ମିଶ୍ରଣ ପର୍ବ
  • ନିର୍ବାଚନ ବେଳେ ଦଳ ଡେଉଁଛନ୍ତି ନେତା

ତେବେ କଂଗ୍ରେସ ଟିକେଟରେ ଦୁଇ ଥର ବିଧାୟକ ହୋଇଛନ୍ତି ଚିରଞ୍ଜୀବ ବିଶ୍ୱାଳ । ୨୦୦୪ରୁ ୨୦୦୯ ତିର୍ତ୍ତୋଲରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରୁ ୨୦୧୯ ଜଗତସିଂହପୁର ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୦୧୯ରେ ନିର୍ବାଚନ ହାରି ଯାଇଥିଲେ ଚିରଞ୍ଜୀବ । ବିବାଦୀୟ ବୟାନକୁ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା କଂଗ୍ରେସ । ନିଲମ୍ବନକୁ ହଟାଇ ନେବା ପରେ ବି କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରୁ ସେ ଦୂରେଇ ରହିଥିଲେ । ଗତକାଲି କଂଗ୍ରେସ ଛାଡ଼ିବା ପରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜୀବ । ଏହାପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଛନ୍ତି ।

ଚିରଞ୍ଜୀବଙ୍କ ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଶୁକ୍ରବାର ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଦଳ ଛାଡିବା ପରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଶଙ୍ଖ ଫୁଙ୍କିଛନ୍ତି ସୁକାନ୍ତ ନାୟକ । ସେହିପରି ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାର ଅନେକ କଂଗ୍ରେସ ଓ ସିପିଆଇ ନେତା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।