ବିହାର ରାଜନୀତି ଗଣିତକୁ ବିଗାଡି ଦେଲେ ଦୁଇ ନେତା । ବଡ଼ ଭାଇରୁ ସାନ ଭାଇ ବନିଲେ ନୀତିଶ, ଧୂଳିସାତ୍ ହେଲା ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ।

2,763

କନକ ବ୍ୟୁରୋ : ବିହାର ରାଜନୀତିର ଗଣିତକୁ ବିଗାଡି ଦେଲେ ଦୁଇ ଜଣ ନେତା । ଚିରାଗ ପାଶୱାନ୍ ଓ ଅସଦୁଦ୍ଦିନ୍ ଓୱେସୀ । ଏହି ଦୁଇ ନେତାଙ୍କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । କାରଣ ଜଣେ ନୀତିଶଙ୍କ ଜେଡିୟୁକୁ ବଡ ଭାଇରୁ ସାନ ଭାଇ ବନାଇଦେଲା ଏବଂ ଅନ୍ୟଜଣେ ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନକୁ ଧୂଳିସାତ୍ କରିଦେଲା ।

ଚିରାଗ ପାଶୱାନ୍ ବିହାର ବିଧାନସଭା ନିର୍ବାଚନରେ ଏକ ଏଭଳି ଭୂମିକା ନେଲେ ଯାହାକୁ ବିହାର କେବେ ଭୁଲି ପାରିବ ନାହିଁ । ୨୪୩ ଆସନ ମଧ୍ୟରୁ ୧୩୪ଟି ଆସନରେ ଲଢେଇ କରିଥିଲେ ମଧ୍ୟ ନୀତିଶ କୁମାରଙ୍କୁ ଏମିତି ଝଟକା ଦେଲେ, ଯାହା ନୀତିଶ କୁମାର ମଧ୍ୟ ଭୁଲିପାରିବେ ନାହିଁ । ନୀତିଶଙ୍କ ଜେଡିୟୁ ପ୍ରାର୍ଥୀ ଯେଉଁଠି ଠିଆ ହେଲେ ସେହି ସ୍ଥାନରେ ମୋଦିଙ୍କୁ ପ୍ରଶଂସା କରି ଲଢେଇ କଲା ଚିରାଗଙ୍କ ଏଲଜେପି । ଫଳରେ ଜେଡିୟୁ ଭୋଟ ଦୁଇ ଭାଗ ହୋଇ ଅଧା ଚିରାଗଙ୍କ ଆଡକୁ ଚାଲିଗଲା । ଆଉ ହାରିଗଲେ ନୀତିଶଙ୍କ ପ୍ରାର୍ଥୀ ।

ଚିରାଗ ପାଶୱାନଙ୍କ ଏଲଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହେଲା । କିନ୍ତୁ ପ୍ରାୟ ୬ ପ୍ରତିଶତ ଭୋଟ ନେଇ ନୀତିଶ କୁମାରଙ୍କ ବହୁ ପ୍ରାର୍ଥୀଙ୍କୁ ହରାଇ ଦେଲେ । ଆଉ ବଡ ଭାଇରୁ ସାନ ଭାଇ ବନିଗଲେ ନୀତିଶ କୁମାର ।

ଯେମିତି ନୀତିଶ କୁମାରଙ୍କୁ ଚିରାଗ ଏକ ବଡ ଝଟକା ଦେଲେ ସେମିତି ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସ୍ୱପ୍ନକୁ ମାଟିରେ ମିଶାଇଦେଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ । ଏନଡିଏ ବିରୋଧୀ ସୀମାଂଚଳ ଅଂଚଳରେ ନିର୍ବାଚନ ଲଢିଲା ଦଳ । ଏହି ଅଂଚଳର ମୋଟ ୨୪ଟି ବିଧାନସଭା ଆସନ ମଧ୍ୟରୁ ୧୪ଟିରେ ପ୍ରାର୍ଥୀ ଦେଇଥିଲା ଓୱେସୀଙ୍କ ପାର୍ଟି । ଆରଜେଡି ପାଉଥିବା ସଂଖ୍ୟାଲଘୁ ଭୋଟକୁ ବିଭାଜନ କରିଥିଲା ଏଆଇଏମଆଇଏମ । ଏହା ସହ ୧.୨୪ ପ୍ରତିଶତ ଭୋଟ ହାତେଇବା ସହ ୫ଟି ଆସନ ବି ଜିତିଲା ଦଳ ।