କନକ ବ୍ୟୁରୋ : ଓମିକ୍ରନ ଭୟ ଭିତରେ କରୋନାର ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି । ସାଇପ୍ରସର ଜଣେ ବୈଜ୍ଞାନିକ ଏହି ଷ୍ଟ୍ରେନର ସନ୍ଧାନ ପାଇଛନ୍ତି । ଏହା ଡେଲଟା ଓ ଓମିକ୍ରନର ମିଶ୍ରଣ ବୋଲି କୁହାଯାଉଛି । ଏହାର ନୂଆ ନାଁ ଦିଆଯାଇଛି 'ଡେଲଟାକ୍ରନ' । ସାଇପ୍ରସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପ୍ରଫେସର ଲିଓନିଡିଅସ କୋଷ୍ଟ୍ରାଇକସ ଏହି ଷ୍ଟ୍ରେନକୁ ଖୋଜି ବାହାର କରିଛନ୍ତି । ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ସାଇପ୍ରସରେ ଏଭଳି ୨୫ ମାମଲା ଚିହ୍ନଟ ହୋଇଛି ।
ତେବେ ଅନ୍ୟ କୌଣସି ଦେଶ ଏହି ଷ୍ଟ୍ରେନ ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । ସାଇପ୍ରସ ବୈଜ୍ଞାନିକଙ୍କ କହିବା ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ମ୍ୟୁଟେସନର ଫ୍ରିକ୍ୱେନ୍ସିଂ ଅଧିକ ଥିଲା , ଯାହା ନୂଆ ଷ୍ଟ୍ରେନକୁ ଇସାରା କରୁଛି । ସଂପୃକ୍ତ ବୈଜ୍ଞାନିକ ତାଙ୍କ ନିଷ୍କର୍ସକୁ ଅନ୍ତର୍ଜାତୀୟ ଡାଟାବେସ ସଂସ୍ଥା, ଜିଆଇଏସ ଏଆଇଡିକୁ ପଠାଇଛନ୍ତି । ଏହି ସଂସ୍ଥା ଭାଇରସକୁ ଟ୍ରାକ କରିଥାଏ । ସାଇପ୍ରସ ବୈଜ୍ଞାନିକ ଦାବି କରିଛନ୍ତି, ଏହି ନୂଆ ଭାଂରିଆଂଟର ଜେନେଟିକ ବେଗ୍ରାଉଣ୍ଡ ଡେଲଟା ସହିତ ପ୍ରାୟ ସମାନ । ଏହା ସହିତ ଏଥିରେ ଓମିକ୍ରନର କିଛି ମ୍ୟୁଟେସନ ମିଳିଛି । ତେବେ ଏ ନେଇ ଭୟଭୀତ ହେବାର କିଛି ନାହିଁ ବୋଲି କୁହାଯାଇଛି ।