ପଡିଆ ମଝିରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ଭାରତୀୟ ବାୟୁସେନାର ହେଲିକପ୍ଟର ଚିନୁକ । ଜାଣନ୍ତୁ କାହିଁକି ହଠାତ୍ ପଡିଆ ମଝିରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର?

391

କନକ ବ୍ୟୁରୋ : ପଡିଆ ମଝିରେ ଅଚାନକ ଓହ୍ଲାଇଲା ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର । ବିହାରର ବକ୍ସରର ମାନିକପୁର ଉଚ୍ଚ ବିଦ୍ୟାଳୟର ପଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁୀରକାଳୀନ ଲ୍ୟାଣ୍ଡିଂ କରିଛି ଭାରତୀୟ ବାୟୁସେନାର ଚିନୁକ ବିମାନ । ବାୟୁସେନାର ୨୦ ଜଣ ଅଧିକାରୀ ଓ କର୍ମଚାରୀ ମହଜୁଦ ଥିବା ଏହି ହେଲିକପ୍ଟର ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲେ ମଧ୍ୟ କାହାର କୌଣସି କ୍ଷତି ହୋଇନାହିଁ । ହେଲିକପ୍ଟରଟି ଅତି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି । ଏହି ଚିନୁକ ହେଲିକପ୍ଟର ପାଟନାର ବିହଟା ଏୟାରଫୋର୍ସ ଷ୍ଟେସନକୁ ଯାଉଥିବା ବେଳେ ଫଙ୍ଖାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟିକୁ ପଡିଆ ମଝିରେ ଲ୍ୟାଣ୍ଡିଂ କରିବାକୁ ପଡିଛି ।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆକାଶରେ ଉଡୁଥିବା ବେଳେ ହଠାତ୍ ହେଲିକପ୍ଟରର ପଙ୍ଖାରୁ ଧୁଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା ଓ ବିମାନଟି ତଳକୁ ଆସୁଥିଲା । ତେବେ ପାଇଲଟ ନିଜର ବୁଦ୍ଧି ଖଟାଇ ସୁରକ୍ଷିତ ଭାବେ ବିମାନଟିକୁ ଲ୍ୟାଣ୍ଡିଂ କରିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ବାୟୁସେନାର ଅଧିକାରୀଙ୍କ ଖାଇବା ଓ ରହିବାର ବ୍ୟବସ୍ଥା କରିଥିଲେ । ଅଚାନକ ସ୍କୁଲ ପଡିଆରେ ହେଲିକପ୍ଟରଟି ଓହ୍ଲାଇବା ଖବର ବ୍ୟାପିବା କ୍ଷଣି ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କର ଭିଡ ଜମିଥିଲା । ହେଲିକପ୍ଟର ସହ ଲୋକେ ସେଲଫି ନେବା ସହ ବେଶ କିଛି ସମୟ ଭିଡ଼ ଜମାଇଥିଲେ । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି କଣ ରହିଛି ତାହାର ଯାଞ୍ଚ ଚାଲିଛି । ଯାଞ୍ଚ ପରେ ହେଲିକପ୍ଟରକୁ ସଜଡାଯିବା ସହ ପୁଣିଥରେ ଏୟାରଫୋର୍ସ ଷ୍ଟେସନ ଅଭିମୁଖେ ଯାତ୍ରା କରିବ ।