ଚିନ୍ମୟୀ ସାହୁ ମୃତ୍ୟୁ ମାମଲା : ସମ୍ବଲପୁର ଏସପିଙ୍କ ବଡ଼ ବୟାନ୍ । ପୁରୁଷବନ୍ଧୁଙ୍କ ଲାଏ ଡିଟେକ୍ସନ୍ ରିପୋର୍ଟ ପରେ ଏସପି କହିଲେ, ହତ୍ୟା ନୁହେଁ ପାଣିରେ ବୁଡ଼ି ହୋଇଛି ମୃତ୍ୟୁ ।

ପ୍ରୀତିମାନ ଓ ମାନସକୁ ବଣ୍ଡରେ ଛାଡିଲା ପୋଲିସ

121

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲା ମୋଡ ବଦଳାଇଛି । ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ଅନ୍ୟପଟେ, ସନ୍ଦେହରେ ଥିବା ଚିନ୍ମୟୀଙ୍କ ବନ୍ଧୁ, ପ୍ରତିମାନ ଦେ ଏବଂ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ସାମନାକୁ ଆସିଛି । ଯେଉଁଥିରେ କୁହାଯାଇଛି, ଉଭୟେ କୌଣସି ବିଭ୍ରାନ୍ତିକର ତଥ୍ୟ ଦେଇନାହାଁନ୍ତି । ସେମାନେ ଯାହା କହିଛନ୍ତି ତାହା ସତ ।

  • ମୋଡ଼ ବଦଳାଇଲା ଚିନ୍ମୟୀ ମୃତ୍ୟୁ ଘଟଣା!
  • ‘ହତ୍ୟା ନୁହେଁ, ପାଣିରେ ବୁଡ଼ି ହୋଇଛି ମୃତ୍ୟୁ’
  • ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ଛାଡ଼ିଲା ବୁର୍ଲା ପୁଲିସ୍

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଯଦିଓ ତଦନ୍ତ ଚାଲିବ, ତଥାପି ହତ୍ୟା ନୁହେଁ ବୋଲି କହି, ଏକପ୍ରକାର ଗାର ଟାଣି ଦେଇଛନ୍ତି ସମ୍ବଲପୁର ଏସପି । ଏହି ଘଟଣାରେ ସଫା ସଫା ଏସପି କହୁଛନ୍ତି- ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ । ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି । ତେବେ ଆତ୍ମହତ୍ୟା, ଅଘଟଣ ନା’ ଆତ୍ମହତ୍ୟା ପାଇଁ ଉସୁକାଯାଇଛି, ସେଦିଗରେ ତଦନ୍ତ ଜାରି ରହିବ ବୋଲି ଏସପି କହିଛନ୍ତି ।

ସମ୍ବଲପୁର ଏସପିଙ୍କ ଏହି ମନ୍ତବ୍ୟ ଆସିବା ପରେ ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚିନ୍ମୟୀଙ୍କ ପରିବାର ଲୋକ । କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ ବି ତଦନ୍ତ ଏକାପଖିଆ ଚାଲିଥିବା ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି….

  • ତଦନ୍ତ ସରିବା ପୂର୍ବରୁ ନିଷ୍କର୍ସରେ ପହଞ୍ଚିଯାଇଛି କି ସମ୍ବଲପୁର ପୁଲିସ?
  • ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେଉଛି ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । କିନ୍ତୁ ହତ୍ୟା ହୋଇନି ସ୍ପଷ୍ଟ ହେଉଛି କେମିତି?

ଏପଟେ ପୁରୁଷ ବନ୍ଧୁ ପ୍ରତୀମାନ ଦେ ଏବଂ ମାନସ ଟୁଡୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି ପୁଲିସ୍ । ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ । ଏଥିପାଇଁ ୭ ଦିନ ବୁର୍ଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ପ୍ରତିମାନଙ୍କ ବାପା କହିଛନ୍ତି ତାଙ୍କ ପୁଅ ନିର୍ଦ୍ଦୋଶ ।

ଏହାରି ଭିତରେ ପ୍ରତିମାନ ଦେ ଏବଂ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କନକ ନ୍ୟୁଜ୍ ହାତରେ ଲାଗିଛି । ଯେଉଁଥିରେ କୁହାଯାଇଛି, ଉଭୟେ କୌଣସି ବିଭ୍ରାନ୍ତିକର ତଥ୍ୟ ଦେଇନାହାଁନ୍ତି । ସେମାନେ ଯାହା କହିଛନ୍ତି ତାହା ସତ । ଦୁଇ ଜଣଙ୍କର ପଲିଗ୍ରାଫ୍ ଚାର୍ଟ ବିଶ୍ଲେଷଣରୁ ଏହା ଜଣାପଡିଥିôବା ନେଇ ରସୁଲଗଡ଼ ଷ୍ଟେଟ୍ ଫରେନସିକ୍ ଲାବ୍ରୋଟାରୀ ପକ୍ଷରୁ ରିପୋର୍ଟ ଦିଆଯାଇଛି ।